ଘର ଭିତରୁ ସ୍ତ୍ରୀ, ବାହାରୁ ସ୍ବାମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

add-all

ଝରିଗାଁ/ ଉମରକୋଟ: ଘର ଭିତରୁ ମହିଳାଙ୍କ ମୃତଦେହ ଜବତ ହୋଇଛି। ମହିଳାଙ୍କ ସ୍ବାମୀଙ୍କ ମୃତଦେହ ଘର ବାହାରୁ ଜବତ କରିଛି ପୁଲିସ। ଦଂପତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକ ଧୋଡ୍ରା ପଞ୍ଚାୟତ ଅନ୍ତର୍ଗତ ସାନ ଭିମାଡ଼ା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଦଂପତିଙ୍କ ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ଅଞ୍ଚଳରେ ଛାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନା ପ୍ରକାରେ ସାନଭିମାଗୁଡ଼ା ଗ୍ରାମର ସୁତମ ଭତ୍ରା(୩୨) ଏବଂ ଫୁଲମଣି ଭତ୍ରା (୨୭) ପ୍ରାୟ ୧୦ ବର୍ଷ ତଳେ ପାରମ୍ପରିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ଉଭୟଙ୍କର ବୈବାହିକ ଜୀବନ ଖୁବ ଭଲ ଭାବରେ ଚାଲିଥିଲା ବୋଲି ସ୍ଥାନୀୟ ଅଞ୍ଚଳର ଲୋକେ କହୁଛନ୍ତି। ଅନ୍ୟ ଦିନ ଭଳି ଗତକାଲି ରାତିରେ ଦଂପତି ଖାଇ ସାରିବା ପରେ ଶୋଇ ପଡ଼ିଥିଲେ।
ଫୁଲମତିଙ୍କ ମୃତଦେହ ଘର ଭିତରେ ବେକରେ ଓଢ଼ଣୀ ଲାଗିଥିବା ଅବସ୍ଥାରେ ଲୋକେ ଦେଖିଥିଲେ। ଘର ଅଗଣାରେ ଥିବା ତେନ୍ତୁଳି ଗଛରେ ସ୍ତ୍ରୀଙ୍କ ଶାଢ଼ି ବେକରେ ଦେଇ ଝୁଲୁଥିଲେ ସୁତମ। ସ୍ଥାନୀୟ ଲୋକେ ଯେତେବେଳେ ଏହି ଅଭାବନୀୟ ଦୃଶ୍ୟ ଦେଖିଥିଲେ, ସେତେବେଳକୁ ଦଂପତିଙ୍କର ଜୀବନ ନଥିଲା। ଦଂପତିଙ୍କ ମୃତ୍ୟୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସମ୍ପର୍କୀୟ ଭାଇ ମଙ୍ଗୁଲୁ ଭତ୍ରା ଉମରକୋଟ ଥାନାରେ ଲିଖିତ ଅଭିଯୋଗ ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇ ତଦନ୍ତ ଜାରି ରଖିଛନ୍ତି। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ଜଣା ପଡ଼ିନାହିଁ।

ad-week
Leave A Reply

Your email address will not be published.