
ଭୁବନେଶ୍ବର: ବର୍ତ୍ତମାନ ବର୍ଷା ଋତୁ ଚାଲୁଥିବାବେଳେ, ଏହି ସମୟରେ ମଶା ଜନିତ ରୋଗ ବ୍ୟାପିବାର ବହୁ ଆଶଙ୍କା ଥାଏ । ଏନେଇ ରାଜ୍ୟରେ ମ୍ୟାଲେରିଆ ଏବଂ ଡେଙ୍ଗୁ ଓ ଅନ୍ୟାନ୍ୟ ଭେକ୍ଟରବାହିତ ରୋଗ ନିରାକରଣ ବାବଦରେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସମୀକ୍ଷା କରିଛନ୍ତି । ଏଥିପାଇଁ ସମସ୍ତ ଅଧିକାରୀଙ୍କ ମିଳିତ ପ୍ରଚେଷ୍ଟାରେ ଏହାକୁ ଅଧିକ କ୍ରିୟାଶୀଳ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଆଗାମୀ କିଛି ଦିନ ମଧ୍ୟରେ କେନ୍ଦ୍ର ସରକାର ୧.୫୭ କୋଟି ଔଷଧ ଯୁକ୍ତ ମଶାରି ଯୋଗାଇବାକୁ ଯାଉଛନ୍ତି । ଏହାକୁ କ୍ଷେତ୍ରସ୍ତରରେ ଅଧିକାରୀମାନେ ତଦାରଖ କରିବା ଉପରେ ଧ୍ୟାନ ଦେବାକୁ କୁହାଯାଇଛି ।
ଅଧିକ ରୋଗୀ ଥିବା ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ମ୍ୟାଲେରିଆ ଏବଂ ଡେଙ୍ଗୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ତରଫରୁ ହେଉଥିବା ଔଷଧଯୁକ୍ତ ମଶାରି ବଣ୍ଟନ, କୀଟନାଶକ ସ୍ପ୍ରେ ବ୍ୟବସ୍ଥା ବାବଦରେ ସେ ପଚାରି ବୁଝିଥିଲେ । ଆବାସିକ ସ୍କୁଲ, ମ୍ୟାଲେରିଆ ପ୍ରବଣ ଅଞ୍ଚଳ, ପ୍ରବାସୀ ଶ୍ରମିକଙ୍କୁ ସ୍କ୍ରିନିଂ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ସହ ଟେଷ୍ଟ ବଢ଼ାଇବାକୁ ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ।
ଏହି ବୈଠକରେ ୧୮ଟି ଜିଲ୍ଲା ଯଥା ଖୋର୍ଦ୍ଧା, ନୟାଗଡ଼, ଅନୁଗୋଳ, ବାଲେଶ୍ବର, ବୌଦ୍ଧ, କଟକ, ଗଞ୍ଜାମ, ଗଜପତି, ଜଗତସିଂହପୁର, ଭଦ୍ରକ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ମୟୂରଭଞ୍ଜ, ଏବଂ ସୁନ୍ଦରଗଡ଼ ଜିଲ୍ଲାର ଅଧିକାରୀ ଆଭାସି ମଧ୍ୟମରେ ଯୋଡ଼ି ହୋଇଥିଲେ ।