ବିଦ୍ୟୁତ ସଂଯୋଗ ନାହିଁ: ଅନ୍ଧାରୀ ଜୀବନ ବିତାଉଛନ୍ତି ୪୦ ରୁ ଉର୍ଦ୍ଧ୍ବ ପରିବାର

youtube

ଘଟଗାଁ: ଯୁଗ ବଦଳିବା ସହ ବଦଳିଛି ଲୋକଙ୍କ ଚାଲିଚଳନ। ବିଶେଷ କରି ଗ୍ରାମଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ। ଏଥିପାଇଁ ସରକାର ବିଭିନ୍ନ ଯୋଜନା ଜରିଆରେ ପାଣି ଭଳି ଅର୍ଥ ମଧ୍ୟ ଖର୍ଚ୍ଚ କରୁଛନ୍ତି। କିନ୍ତୁ ପ୍ରଶାସନିକ ଇଚ୍ଛାଶକ୍ତି ଅଭାବ ଯୋଗୁ ଲୋକଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚି ପାରୁନାହିଁ । ଯାହା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଗ୍ରାମ କୁଲାଡେରା ଠାରେ । ଆମେ ଆଧୁନିକ ଯୁଗ କଥା କହୁଥିବା ବେଳେ ଏହି ଗ୍ରାମରେ ଆଜିଯାଏ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । ଫଳରେ ଗ୍ରାମରେ ବସବାସ କରୁଥିବା ୪୦ ରୁ ଉର୍ଦ୍ଧ୍ବ ଜୁଆଙ୍ଗ ପରିବାର ବର୍ଷ ବର୍ଷ ଧରି ଅନ୍ଧାରୀ ଜୀବନ ବିତାଉଛନ୍ତି ।

ବିଦ୍ୟୁତ ସଂଯୋଗ ନଥିବାରୁ ପାଠ ପଢିବା ପାଇଁ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି । ବଣପାହାଡ ଘେରା ଏହି ଗ୍ରାମରେ ସନ୍ଧ୍ୟା ହେଲେ ଜଙ୍ଗଲୀ ଜନ୍ତୁଙ୍କ ଭୟରେ ତାଟିକବାଟ ପଡିଯାଇଥାଏ। ଜୁଆଙ୍ଗ ଜନଜାତିଙ୍କ ବିକାଶ ପାଇଁ ସରକାର ଦେଉଥିବା ଅର୍ଥ ଏଠାରେ ବାଟବଣା ହେଉଥିବା ଦେଖିବାକୁ ମିଳିଛି । ଗାଁକୁ ହାତ ଗଣତି କେତୋଟି ସୋଲାର ଲାଇଟ ଯୋଗାଇ ଦିଆଯାଇଛି ସେଥରୁ ମଧ୍ୟ କିଛି ଅଚଳ ବୋଲି ଅଭିଯୋଗ ହୋଇଛି । ଆଖପାଖ ଅନେକ ଗାଁରେ ବିଦ୍ୟୁତ ସଂଯୋଗ ହୋଇଛି କିନ୍ତୁ କୁଲାଡେରା ଗ୍ରାମରେ କାହିଁକି ବିଦ୍ୟୁତ ସଂଯୋଗ ହୋଇନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ।

ଏନେଇ ବାରମ୍ଭାର ବିଦ୍ୟୁତ ବିଭାଗ ଓ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି ହେଲେ ମିଥ୍ୟା ପ୍ରତିଶ୍ରୁତି ଛଡା ଆଜିଯାଏ କୌଣସି ସୁଫଳ ମିଳିପାରିନାହିଁ। ତେବେ ଦୁଇମାସ ପୂର୍ବରୁ ଏହି ଗ୍ରାମରେ ଥିବା ଘର ଗୁଡିକୁ ସୋଲାର ସଂଯୋଗ ପାଇଁ ଆସିଥିବା ସାମଗ୍ରୀ ଗ୍ରାମ ଅଙ୍ଗନବାଡି କେନ୍ଦ୍ରରେ ପଡିରହିଛି । ଯାହା ଅତ୍ୟନ୍ତ ପରିତାପର ବିଷୟ ହୋଇଥିବା ବେଳେ ତୁରନ୍ତ ଜିଲ୍ଲାପ୍ରଶାସନ ଏଥିପ୍ରତି ଦ୍ରୁଷ୍ଟି ଦେବାକୁ ଦାବି ହୋଇଛି । ଅନ୍ୟପକ୍ଷରେ ଗାଁରେ ଥିବା ବିଦ୍ୟୁତ ସମସ୍ୟା ନେଇ ଆମେ ଘଟଗାଁ ବିଦ୍ୟୁତ ବିଭାଗ ଏସଡିଓଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥଲୁ ହେଲେ କାର୍ଯ୍ୟଳୟ ବନ୍ଦ ଥିବାରୁ ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Reply

Your email address will not be published.