
ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀର କିସ୍ତୱାରରେ ବାଦଲଫଟା ବର୍ଷା । ପ୍ରବଳ ବର୍ଷା ଯୋଗୁଁ ୩୨ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣା ପରେ ତୁରନ୍ତ ଉଦ୍ଧାରକାରୀ ଟିମ୍ ଯାଇଛି । ବାଦଲଫଟା ବର୍ଷା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେଇଛି । ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଥିବା ବେଳେ ଅନେକ ଲୋକେ ଆହତ ହୋଇଛନ୍ତି । ଫସିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ବାଦଲ ଫାଟିବା ପରେ ପାଣିର ପ୍ରବଳ ସ୍ରୋତ ଆସି ସବୁକିଛି ଭସାଇ ନେଇଛି । କିସ୍ତୱାର ଚାସୋତି ଓ ପଦର ଅଞ୍ଚଳରେ ଏଭଳି ଅଘଟଣ ଘଟିଛି ।
ହଠାତ୍ ବାଦଲ ଫାଟିବା ଯୋଗୁଁ ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ପରିସ୍ଥିତି ସମ୍ପର୍କରେ ଡିସିଙ୍କ ସହ କଥା ହୋଇଛନ୍ତି । ବାଦଲ ଫାଟିବା ସ୍ଥାନରେ ଏକ ଲଙ୍ଗର ଚାଲୁଥିଲା । ଯାହା ଯୋଗୁଁ ସେଠାରେ ବହୁ ସଂଖ୍ୟକ ଲୋକ ଜମା ହୋଇଥିଲେ । ବନ୍ୟା ଭଳି ପରିସ୍ଥିତି ଯୋଗୁଁ ୩୨ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା କରାଯାଉଛି । ଆଗକୁ ଆଉ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । କେନ୍ଦ୍ର ମନ୍ତ୍ରୀ ସ୍ଥାନୀୟ ଡିସିଙ୍କଠାରୁ ଏ ବିଷୟରେ ସମ୍ପୂର୍ଣ୍ଣ ସୂଚନା ନେଉଛନ୍ତି ।
ବାଦଲ ଫଟିବା ପରେ ତୁରନ୍ତ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚିଛି । କ୍ଷୟକ୍ଷତି ଆକଳନ କରାଯାଉଛି । ଆବଶ୍ୟକ ଚିକିତ୍ସ ବ୍ୟବସ୍ଥା କରାଯାଇଛି । ଘଟଣା ପରେ ସ୍ଥାନୀୟ ପ୍ରଶାସନ ଆଲର୍ଟ ଜାରି କରିଛି । ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା କରାଯାଉଛି । ଏଥିପାଇଁ ବଜୁଳି ଖୁମ୍ବ, ଗଛ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।
ଏହାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ କଥା ହୋଇଛନ୍ତି ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା । କ୍ଷତିଗ୍ରସ୍ତ ଅଞ୍ଚଳ ବିଷୟରେ କଥା ହୋଇଛନ୍ତି । ଦୁଇଟି ଏଡିଆରଏଫ ଟିମ୍ ଘଟଣା ସ୍ଥଳକୁ ଯାଇଛି ।