
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ସ୍କୁଲକୁ ମିଳିଛି ବୋମା ବିସ୍ଫୋରଣ ଧମକ । ପୁଣି ଥରେ ଦିଲ୍ଲୀର ୫୦ଟି ସ୍କୁଲକୁ ମିଳିଛି ବୋମା ଧମକ । ମାଲବ୍ୟ ନଗର, ନଜଫଗଡ଼, କରୋଲ ବାଗ ସହିତ ଅନ୍ୟ ସ୍କୁଲକୁ ବୋମା ଧମକ ମିଳିଛି । ଇମେଲ କରି ଧମକ ଦେଇଥିବା ଖବର ମିଳିଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ସ୍କୁଲ ପରିସରରେ ପୋଲିସ ଓ ଦଳକଳ ବାହିନୀ ପହଞ୍ଚି ଯାଞ୍ଚ ଜାରି ରଖିଥିବା ବେଳେ ଏବେ ସୁଦ୍ଧା ଯାଞ୍ଚରେ କୌଣସି ସନ୍ଦିଗ୍ଧ ସାମଗ୍ରୀ ଠାବ ହୋଇନଥିବା ସୂଚନା ରହିଛି ।
ଦିଲ୍ଲୀ ପୋଲିସ ଟିମ୍ ଏବଂ ଡଗ୍ ସ୍କ୍ବାର୍ଡ, ବୋମା ନିଷ୍କ୍ରିୟକାରୀ ଟିମ୍ ଏବଂ ଅଗ୍ନିଶମ ଟିମ୍ ସ୍କୁଲ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ଏଯାଏଁ କୌଣସି ସନ୍ଦିଗ୍ଧ ଜିନିଷ ମିଳିନାହିଁ । ଏହାପୂର୍ବରୁ ୧୮ ଅଗଷ୍ଟରେ ଦ୍ବାରକାରେ ୨ଟି ସ୍କୁଲ ଏବଂ କଲେଜକୁ ଉଡ଼ାଇବାକୁ ବୋମା ଧମକ ମିଳିଥିଲା ।
ଗତ କିଛି ଦିନ ଧରି ଦିଲ୍ଲୀର ସ୍କୁଲ ଏବଂ କଲେଜଗୁଡ଼ିକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳୁଛି । ତେବେ ଗତ ଦୁଇଦିନ ତଳେ ୩୨ଟି ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଥିଲା । ଫଳରେ ଅଭିଭାବକ ଭୟଭୀତ ହୋଇପଡିଥିଲେ । ଗତ ସୋମବାର ମିଳିଥିବା ଧମକରେ ଟଙ୍କା ମଧ୍ୟ ଦାବି କରାଯାଇଥିଲା । ଦିଲ୍ଲୀର ୩୨ଟି ସ୍କୁଲକୁ ୪,୩୫,୪୨୭,୫୦ ଟଙ୍କା ଅର୍ଥାତ୍ ୫୦୦ଆମେରିକୀୟ ଡଲାର ଦାବି କରି ଧମକପୂର୍ଣ୍ଣ ମେଲ୍ ମିଳିଥିଲା । ଟଙ୍କା ନ ଦେଲେ ସ୍କୁଲଗୁଡ଼ିକୁ ବୋମାରେ ଉଡ଼ାଇ ଦିଆଯିବ ବୋଲି ଧମକ ଦିଆଯାଇଥିଲା ।
ତେବେ ଏନେଇ ସ୍ପେଶାଲ୍ ସେଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଦିଲ୍ଲୀର ୩୨ଟି ସ୍କୁଲ ଯଥା ଦକ୍ଷିଣ ଜିଲ୍ଲାରେ ୭ଟି, ଦକ୍ଷିଣ-ପଶ୍ଚିମ ଜିଲ୍ଲାରେ ୧୩ଟି, ଦ୍ୱାରକାରେ ୧୧ଟି ଏବଂ କେନ୍ଦ୍ରୀୟ ଜିଲ୍ଲାରେ ୧ଟି ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକପୂର୍ଣ୍ଣ ମେଲ୍ ମିଳିଛି । ପୋଲିସ ଅଧିକାରୀ କହିଛନ୍ତି ଯେ, ସମସ୍ତ ସ୍କୁଲକୁ ମିଳିଥିବା ମେଲ୍ ସମାନ ଥିଲା ଏବଂ ସମସ୍ତ ଜିମେଲ ଆଇଡିରୁ ପଠାଯାଇଥିଲା ।
ସ୍କୁଲକୁ ବାରମ୍ବାର ଏଭଳି ବୋମା ଧମକ ମିଳିବା ଯୋଗୁଁ ଚିନ୍ତାରେ ରହିଛନ୍ତି ଅଭିଭାବକ । ପିଲାମାନଙ୍କ ସୁରକ୍ଷା ପ୍ରତି ଚିନ୍ତିତ ହୋଇପଡିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ତେବେ କିଏ ଏବଂ କାହିଁକି ଏଭଳି ଧମକ ବାରମ୍ବାର ଦେଉଛି, ତାହାକୁ ନେଇ ପୋଲିସ ଯାଞ୍ଚ ଆରମ୍ଭ କରୁଛି ।