
ମହାରାଷ୍ଟ୍ର : ମହାରାଷ୍ଟ୍ର ପାଲଘରର ତାରାପୁର-ବୋଇସର ଶିଳ୍ପାଞ୍ଚଳରେ ଥିବା ଏକ ଫାର୍ମାସିଟ୍ୟୁକାଲ କମ୍ପାନୀରେ ଅଘଟଣ । ଗ୍ୟାସ୍ ଲିକ୍ ହୋଇ ଜଣଙ୍କର ୪ମୃତ୍ୟୁ ହୋଇଛି । ତାରାପୁର-ବୋଇସର ଶିଳ୍ପାଞ୍ଚଳରେ ଥିବା ଏକ ଫାର୍ମାସିଟ୍ୟୁକାଲ କମ୍ପାନୀରୁ ଲିକ୍ ହୋଇଥିବା ନାଇଟ୍ରୋଜେନ ଗ୍ୟାସ୍ ନିଶ୍ୱାସ ନେବାରୁ ଏଭଳି ଅଘଟଣ ଘଟିଛି । ଅନ୍ୟ ଦୁଇ ଜଣକ ଅବସ୍ଥା ଗୁରୁତର ରହିଛି ।
ଅଧିକାରୀଙ୍କ କହିବା ଅନୁଯାୟୀ, ଘଟଣାଟି ଅପରାହ୍ନରେ ମୁମ୍ବାଇରୁ ପ୍ରାୟ ୧୩୦ କିଲୋମିଟର ଦୂର ବୋଇସର ଶିଳ୍ପା ଅଞ୍ଚଳରେ ଅବସ୍ଥିତ ଫାର୍ମାସିଟ୍ୟୁକାଲ ଫାର୍ମାରେ ଘଟିଥିଲା । କମ୍ପାନୀର ପ୍ଲାଣ୍ଟ ନମ୍ବର F-13 ରେ ଔଷଧ ଉତ୍ପାଦନ ପ୍ରକ୍ରିୟା ସମୟରେ ନାଇଟ୍ରୋଜେନ୍ ଗ୍ୟାସ୍ ଲିକେଜ୍ ଯୋଗୁଁ ଛଅ ଜଣ ଶ୍ରମିକ ଆକ୍ରାନ୍ତ ହୋଇଥିଲେ । ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ କମଲେଶ ଯାଦବ, କଳ୍ପେଶ ରାଉତ, ଧୀରଜ ପାୱାର ଏବଂ ବାଙ୍ଗାଲି ଠାକୁର ଅଛନ୍ତି ।
ପାଲଘର ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ସେଲର ମୁଖ୍ୟ ବିବେକାନନ୍ଦ କଦମ କହିଛନ୍ତି ଯେ, ଅପରାହ୍ନ ୨.୩୦ ରୁ ୩ଟା ମଧ୍ୟରେ କମ୍ପାନୀର ଗୋଟିଏ ୟୁନିଟରେ ନାଇଟ୍ରୋଜେନ ଗ୍ୟାସ ଲିକ୍ ହୋଇଥିଲା, ଯାହା ସେଠାରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ପ୍ରଭାବିତ କରିଥିଲା ।