
ନୂଆଦିଲ୍ଲୀ: ଭାରତରେ ପ୍ରତିଦିନ ନିଜ ନିଜ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଆଲୋଚନା ହେଉଥାଏ । ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ତାଙ୍କ ରାଜ୍ୟର ମୁଖିଆଙ୍କର କେତେ ସମ୍ପତ୍ତି ରହିଛି? ଏହାକୁ ନେଇ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ, ସାରା ଦେଶର ମୁଖ୍ୟମନ୍ତ୍ରୀଙ୍କ ଏକ ତାଲିକା ପ୍ରକାଶ କରାଯାଇଛି, ଯେ କାହାର କେତେ ସମ୍ପତ୍ତି ଅଛି ? ଏହି ତାଲିକାରେ, ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଦେଶର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତଥ୍ୟ ସେୟାର କରାଯାଇଛି । ଏଥିସହିତ କେଉଁ ମୁଖ୍ୟମନ୍ତ୍ରୀଙ୍କ ନାଁରେ ସବୁଠୁ ଅଧିକ ଅପରାଧିକ ମାମଲା ରହିଛି ତାହା ମଧ୍ୟ ଏହି ରିପୋର୍ଟରେ ପ୍ରକାଶ ପାଇଛି ।
ନାଇଡୁ ଧନୀ, ମମତା ଗରିବ…
ନିର୍ବାଚନ ଅଧିକାର ସଂଗଠନ ଏଡିଆରର ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଭାରତର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ । ତାଙ୍କ ନାଁରେ ୯୩୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ରହିଛି । ଏହାପରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ, ୩୩୨ କୋଟି ସମ୍ପତ୍ତି ସହିତ ଦ୍ବିତୀୟ ଧନୀ ମୁଖ୍ୟମନ୍ତ୍ରୀ ଅଟନ୍ତି । ସେହିପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପାଖରେ ୫୧ କୋଟିରୁ ଅଧିକ ସମ୍ପତ୍ତି ସହିତ ସେ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖରେ ପ୍ରାୟ ୨ କୋଟିର ସମ୍ପତ୍ତି ରହିଛି । ଏଡିଆର ରିପୋର୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖରେ ୧କୋଟି ୯୭ ଲକ୍ଷରୁ ଅଧିକ ସମ୍ପତ୍ତି ରହିଛି । ଡିସେମ୍ବର ୨୦୨୪ ପରେ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନ ଏବଂ ଉପନିର୍ବାଚନ ପରେ ପ୍ରସ୍ତୁତ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR)ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଶର ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ । ତାଙ୍କର ମାତ୍ର ୧୫ ଲକ୍ଷରୁ କିଛି ଅଧିକ ମୂଲ୍ୟର ସମ୍ପତ୍ତି ରହିଛି । ମୋଟ ୩୧ ଗରିବ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମମତା ସଭା ଶେଷରେ ରହିଛନ୍ତି । ତାଙ୍କ ପୂର୍ବରୁ ରହିଛନ୍ତି, ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ତାଙ୍କ ସମ୍ପତ୍ତି ୫୫ ଲକ୍ଷ ଟଙ୍କା । ସେହିପରି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ୧ କୋଟି ଟଙ୍କାରୁ ଟିକିଏ ଅଧିକ ମୂଲ୍ୟର ସମ୍ପତ୍ତି ସହିତ ତୃତୀୟ ସବୁଠାରୁ କମ୍ ସମ୍ପତ୍ତିଧାରୀ ମୁଖ୍ୟମନ୍ତ୍ରୀ ।
ଏଡିଆର ରିପୋର୍ଟ ଅନୁଯାୟୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କ ବିରୋଧରେ ସର୍ବାଧିକ ୮୯ ଟି ଅପରାଧିକ ମାମଲା ପଞ୍ଜିକୃତ ହୋଇଛି । ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ୪୭ ଟି ମାମଲାରେ ଅପରାଧି ବୋଲି ଘୋଷଣା କରିଛନ୍ତି । ସେହିପରି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ବିରୁଦ୍ଧରେ ୧୯ଟି, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ୧୩ ଟି, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୁଦ୍ଧରେ ୫ଟି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ବିରୁଦ୍ଧରେ ୪ ଟି, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ବିରୁଦ୍ଧରେ ୪ଟି, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ବିରୁଦ୍ଧରେ ୨ଟି, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ବିରୁଦ୍ଧରେ ୧ଟି ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ନାଁରେ ମଧ୍ୟ ଗୋଟିଏ ଅପରାଧିକ ମାମଲା ରହିଛି । ରିପୋର୍ଟ ଅନୁଯାୟୀ, ଦେଶର ବର୍ତ୍ତମାନର ୩୦ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୧୨ ଜଣ ଅର୍ଥାତ୍ ୪୦% ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରହିଛି । ଏଥିସହିତ ଦେଶର ୩୦ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୧୦ ଜଣ ଅର୍ଥାତ୍ ପ୍ରାୟ ୩୩ ପ୍ରତିଶତ ମୁଖ୍ୟମନ୍ତ୍ରୀ ନିଜ ବିରୁଦ୍ଧରେ ଗମ୍ଭୀର ଅପରାଧିକ ମାମଲା ଘୋଷଣା କରିଛନ୍ତି। ଏଥିରେ ହତ୍ୟା ଉଦ୍ୟମ, ଅପହରଣ, ଲାଞ୍ଚ ଏବଂ ଅପରାଧିକ ଧମକ ଭଳି ଗମ୍ଭୀର ଅଭିଯୋଗ ଅନ୍ତର୍ଭୁକ୍ତ। ଯାହା ପୁଣିଥରେ ରାଜନୈତିକ କ୍ଷେତ୍ରରେ ଅପରାଧିକ ପୃଷ୍ଠଭୂମି ଥିବା ନେତାଙ୍କ ଉପସ୍ଥିତି ଉପରେ ପ୍ରଶ୍ନ ଉଠାଇଛି।
ସରକାରଙ୍କ ନୂଆ ବିଲ୍, ଗିରଫଦାରୀର ୩୧ ଦିନରେ ଇସ୍ତଫା
ଏଡିଆର ରିପୋର୍ଟ ଏପରି ସମୟରେ ଆସିଛି ଯେତେବେଳେ କେନ୍ଦ୍ର ସରକାର ୩ଟି ନୂତନ ବିଲ୍ ଆଣିଛନ୍ତି । ଯେଉଁଥିରେ ବ୍ୟବସ୍ଥା ଅଛି ଯେ ଯଦି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କୁ ଏକ ଗମ୍ଭୀର ଅପରାଧିକ ମାମଲାରେ ୩୦ ଦିନ ପାଇଁ ଗିରଫ କରାଯାଏ, ତେବେ ସେମାନଙ୍କୁ ସେମାନଙ୍କ ପଦବୀରୁ ହଟାଇ ଦିଆଯାଇପାରିବ । ବୁଧବାର ସରକାର ଲୋକସଭାରେ ସମ୍ବିଧାନ (୧୩୦ତମ ସଂଶୋଧନ) ବିଲ୍, ଜମ୍ମୁ ଏବଂ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (ସଂଶୋଧନ) ବିଲ୍ ଆଗତ କରିଛନ୍ତି। ଏହି ବିଲ୍ ଅନୁଯାୟୀ, ଯଦି କୌଣସି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କୁ କୌଣସି ଅପରାଧ ପାଇଁ ଗିରଫ କରାଯାଏ, ସର୍ବନିମ୍ନ ପାଞ୍ଚ ବର୍ଷ ଜେଲ୍ ଦଣ୍ଡ ହୁଏ ଏବଂ ସେ ଲଗାତାର ୩୦ ଦିନ ପାଇଁ ହାଜତରେ ରହନ୍ତି, ତେବେ ତାଙ୍କୁ ୩୧ତମ ଦିନରେ ସ୍ୱୟଂଚାଳିତ ଭାବରେ ପଦରୁ ହଟାଇ ଦିଆଯିବ। ଏହି ବ୍ୟବସ୍ଥା ସମ୍ବିଧାନର ଧାରା ୭୫ (ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀ), ଧାରା ୧୬୪ (ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ) ଏବଂ ଧାରା ୨୩୯ଏଏ (କେନ୍ଦ୍ରଶାସିତ ଅଞ୍ଚଳ) ରେ ସଂଶୋଧନ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ।