ନାବାଳିକା ଦୁଷ୍କର୍ମକାରୀକୁ ୩୦ ବର୍ଷ ସଶ୍ରମ କାରା ଦଣ୍ଡାଦେଶ      

add-all

ସମ୍ବଲପୁର: ସମ୍ବଲପୁର ଏଡିଜେ–ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୩୦ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତକୁ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେବା ସହିତ ପୀଡ଼ିତାଙ୍କୁ ୧୩ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି।

ମାମଲା ବିବରଣୀରୁ ପ୍ରକାଶ ଯେ, ୨୦୨୪ ଏପ୍ରିଲରେ ପୀଡ଼ିତା ନାବାଳିକା ମହୁଲପାଲି ଥାନାଞ୍ଚଳକୁ ତାର ମାମୁଁ ଘରକୁ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବାକୁ ସୁନ୍ଦରଗଡରୁ ଆସିଥିଲେ। ବାହାଘର ଶେଷ ହେବା ପର ଦିନ ମାଁମୁ ଘରେ ନାଚ ଗୀତ ଓ ଭୋଜିର କାର୍ଯ୍ୟକ୍ରମ ରହିଥିବା ବେଳେ ସନ୍ଧ୍ୟା ସମୟରେ ଅନ୍ୟ ଛୋଟ ଛୁଆମାନଙ୍କ ସହିତ ନାବାଳିକା ମଧ୍ୟ ଗୀତରେ ଅଂଶଗ୍ରହଣ କରିଥିଲେ। ହେଲେ ଅଚାନକ ନାବାଳିକା ଜଣକ ନିଖୋଜ ହୋଇଯିବାରୁ ପରିବାର ଲୋକେ ତାଙ୍କୁ ଖୋଜିଥିଲେ । କିଛି ସମୟ ଖୋଜିବା ପରେ ଘର ନିକଟରୁ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ପଚାରିବାରୁ ଜଣାପଡ଼ିଥିଲା ଯେ, ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ଅନ୍ୟତ୍ର ନେଇ ଦୁଷ୍କର୍ମ କରିବା ପରେ ଘର ନିକଟରେ ଛାଡ଼ି ପଳାଇଥିଲା। ନାବାଳିକାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଭିମସାରକୁ ନିଆଯାଇ ୨୦ ଦିନ ଚିକିତ୍ସା କରିବା ପରେ ସେ ସୁସ୍ଥ ହୋଇଥିଲେ। ଏହି ଘଟଣାର ମହୁଲପାଲି ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା(୮୦/୨୦୨୪) ରୁଜୁ କରି ଅଭିଯୁକ୍ତ ଅନିଲ ସାମ୍ବଦ(୨୪)କୁ ଗିରଫ କରିଥିଲା। ମାମଲାର ଶୁଣାଣି ସମୟରେ ପୋକ୍ସୋ ଅଦାଲତର ବିଚାରପତି ଅଭିଳାଷ ସେନାପତି ସାକ୍ଷୀମାନଙ୍କର ବୟାନ ଓ ବିଭିନ୍ନ କାଗଜପତ୍ରଗୁଡିକୁ ଯାଞ୍ଚ କରି ଅଭିଯୁକ୍ତ ଅନିଲକୁ ୩୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୫୦ ହଜାର ଟଙ୍କାର ଜରିମାନା ଆଦେଶ ଶୁଣାଇଛନ୍ତି। ଜରିମାନା ଅନାଦାୟ ହେଲେ ଅତିରିକ୍ତ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଓକିଲ ସନ୍ତୋଷ କୁମାର ପଣ୍ଡା ମାମଲା ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.