
ନେପାଳ : ନେପାଳରେ ସୋସିଆଲ ମିଡିଆ ବ୍ୟାନକୁ ନେଇ ସମଗ୍ର ଦେଶ ଜଳୁଛି । ଦ୍ବିତୀୟ ଦିନ ପାଇଁ ସାରା ଦେଶରେ ହିଂସାକାଣ୍ଡ ଜାରି ରହିଛି । ଦେଶରେ ବ୍ୟାପକ ହିଂସାକାଣ୍ଡ ପରେ ଶେଷରେ କୌଣସି ଉପାୟ ନପାଇ ଇସ୍ତଫା ଦେଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ତାଙ୍କ ମନ୍ତ୍ରିମଣ୍ଡଳରେ ଗୃହ, କୃଷି, ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ୯ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଆନ୍ଦୋଳନକାରୀମାନେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବରଖାସ୍ତ ଦାବି କରିଛନ୍ତି । ମନ୍ତ୍ରିମଣ୍ଡଳର କିଛି ସଦସ୍ୟ ଦେଶ ଛାଡି ପଳାଇଥିବା ସୂଚନା ମିଳିଛି ।
ସୋସିଆଲ ମିଡ଼ିଆ ଉପରେ ପ୍ରତିବନ୍ଧକ ହଟିବା ପରେ ବି ନେପାଳରେ ହିଂସା ଥମିନଥିଲା । ନେପାଳ ସରକାରଙ୍କ ୩ଜଣ ମନ୍ତ୍ରୀ ପ୍ରଥମେ ଇସ୍ତଫା ଦେଇଥିଲେ । ଆଜି ବି ରାଜଧାନୀ କାଠମାଣ୍ଡୁ ଜଳିଥିଲା । ନେପାଳ ସରକାର ଫେସବୁକ୍, ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡ଼ିଆ ଆପ୍ ଉପରେ ରୋକ୍ ଲଗାଇବାରୁ ଏହାକୁ ବିରୋଧ କରି ପ୍ରତିବାଦ କରିଥିଲେ ଯୁବପିଢି । ଏହାସହିତ ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ବିକ୍ଷୋଭ କରିଥିଲେ ।
ସଂସଦ ଆଗରେ ମୁହାଁମୁହିଁ ହୋଇଥିଲେ ପୋଲିସ-ଜେନ-ଜି ବିକ୍ଷୋଭାକାରୀ । ୨୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି । ସାଂଘାତିକ ହିଂସା ପରେ ଗତକାଲି ବିଳମ୍ବିତ ରାତିରେ ସରକାର ସୋସିଆଲ ମିଡିଆ ଉପରୁ ବ୍ୟାନ୍ ହଟାଇଛନ୍ତି । ସେପ୍ଟେମ୍ବର ୪ରେ ଫେସବୁକ୍, ୟୁଟ୍ୟୁବ, ଏକ୍ଦ ଭଳି ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ କଟକଣା ଜାରି କରିଥିଲେ ସରକାର । ଏହାକୁ ପ୍ରତିବାଦ କରିଥିଲେ ଜେନ-ଜି । ପରେ ଉଗ୍ରରୂପ ନେଇଥିଲା ବିକ୍ଷୋଭ ।