ନ୍ୟାସନାଲ୍ ଜିଓଗ୍ରାଫିକ୍ କଭରରେ ଶିମିଳିପାଳର ବିରଳ କଳା ବାଘ, ଭାରତୀୟ ବନ୍ୟଜନ୍ତୁ ଫଟୋଗ୍ରାଫି ପାଇଁ ଅକ୍ଟୋବର ସଂସ୍କରଣର ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନିତ

ମୟୁରଭଞ୍ଜ : ନ୍ୟାସନାଲ୍ ଜିଓଗ୍ରାଫିକ୍ କଭରରେ ଶିମିଳିପାଳର ବିରଳ କଳା ବାଘ । ଭାରତୀୟ ବନ୍ୟଜନ୍ତୁ ଫଟୋଗ୍ରାଫି ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନର ବିରଳ ମେଲାନିଷ୍ଟିକ୍ କଳା ବାଘର ଛବି ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ଅକ୍ଟୋବର ସଂସ୍କରଣର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହୋଇଛି ।
ନ୍ୟାସନାଲ୍ ଜିଓଗ୍ରାଫିକ୍ ଏକ୍ସପ୍ଲୋରର୍ ଓ ଫଟୋଗ୍ରାଫର୍ ପ୍ରସେନଜିତ ଯାଦବ ବିରଳ କଳା ବାଘକୁ ତାଙ୍କ କ୍ୟାମେରା ଲେନସରେ ତୋଳି ଧରିଥିଲେ । ନାଗପୁରରୁ ଜଣେ ମଲିକ୍ୟୁଲାର ଜୀବବିଜ୍ଞାନୀରୁ ବନ୍ୟଜନ୍ତୁ ବିଶେଷଜ୍ଞ ପାଲଟିଥିବା ପ୍ରସେନଜିତ ଯାଦବ ଶିମିଳିପାଳ ବାଘ ଆଶ୍ରୟସ୍ଥଳୀର T12 ନାମକ କଳା ବାଘକୁ ଟ୍ରାକ୍ କରିଥିଲେ ।
ଏଥିପାଇଁ ତାଙ୍କୁ ୧୨୦ ଦିନରୁ ଅଧିକ ସମୟ ଲାଗିଥିଲା। ଏହା ପ୍ରସେନଜିତ ଯାଦବଙ୍କର ପ୍ରଥମ ନ୍ୟାସନାଲ୍ ଜିଓଗ୍ରାଫିକ୍ କଭର । ଯାହା ତାଙ୍କୁ ପତ୍ରିକାର ୧୩୫ ବର୍ଷର ଇତିହାସରେ ସମ୍ମାନିତ ଭାରତୀୟ ଫଟୋଗ୍ରାଫରଙ୍କ ମଧ୍ୟରେ ସ୍ଥାନ ଦେଇଛି। ପତ୍ରିକାର କଭରରେ ଦେଖାଯାଇଥିବା ବାଘରେ ଏକ ବିରଳ ମେଲାନିଜିମ ମ୍ୟୁଟେସନ୍ ରହିଛି ।
ଯାହାକି ବାଘର ସୁନେଲି ପରସ୍ତକୁ ପ୍ରାୟ ଢାଙ୍କି ଦେଇଥାଏ । ଦୂରରୁ ଏହା “କଳା ବାଘ” ବୋଲି ଲାଗେ। ଏହି ବୈଶିଷ୍ଟ୍ୟ କେବଳ ଶିମିଳିପାଳରେ ଦେଖାଯାଏ । ଶିମିଳିପାଳରେ ପ୍ରାୟ ୩୦ଟି ବାଘରେ ଏହି ପ୍ରଭାବ ରହିଛି। ଶିମିଳିପାଳ ଅଞ୍ଚଳରେ ସୀମିତ ଜିନ୍ ପୁଲ୍ ଏହି ମ୍ୟୁଟେସନର ପ୍ରମୁଖ କାରଣ ବୋଲି କୁହାଯାଉଛି ।