
ତାମିଲନାଡୁ : ତାମିଲନାଡୁର କରୁରରେ ରାଲିରେ ଦଳାଚକଟା ଘଟି ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦୦ ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ଅଭିନେତା ଏବଂ ରାଜନୈତିକ ନେତା ବିଜୟଙ୍କ ଦଳ, ଟିଭିକେ, ରାଜ୍ୟ ସରକାରଙ୍କୁ ଅଭିଯୋଗ କରିଛି ଏବଂ ଦାବି କରିଛି ଯେ ଏହା ଡିଏମକେ ଷଡ଼ଯନ୍ତ୍ରର ଅଂଶ ହୋଇପାରେ ବୋଲି ଅନୁମାନ କରାଯାଉଛି ।
ଓକିଲ ଆରିଭାଜାଗନ୍ ଏକ ଗଣମାଧ୍ୟମକୁ କହିଛନ୍ତି ଦଳ ମାଡ୍ରାସ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି । ଯେଉଁଥିରେ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଗଠନ କିମ୍ବା ମାମଲାକୁ CBIକୁ ହସ୍ତାନ୍ତର କରିବାକୁ ଦାବି କରାଯାଇଛି । ସେ ରାଲିରେ ସୁରକ୍ଷା ନିୟମ ଉଲ୍ଲଂଘନ ହୋଇଥିବା ରାଜ୍ୟ ସରକାରଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
ଟିଭିକେ ଅଭିଯୋଗ କରିଛି ଯେ, ଏହି ଦୁଃଖଦ ଘଟଣା କୌଣସି ଦୁର୍ଘଟଣା ନୁହେଁ, ବରଂ ଏକ ଷଡ଼ଯନ୍ତ୍ରର ଫଳାଫଳ । ଟିଭିକେର ଆଇନଜୀବୀ ଶାଖା ସଭାପତି ଏସ. ଅରିଭାଝାଗନଙ୍କ ନେତୃତ୍ଵରେ ଏକ ଆଇନଜୀବୀ ଦଳ ବିଚାରପତି ଏମ. ଧଣ୍ଡପାଣିଙ୍କ ବାସଭବନକୁ ଯାଇ ଏ ସମ୍ପର୍କରେ ଅବଗତ କରାଇଛନ୍ତି ।
ଟିଭିକେର ଉପ ସାଧାରଣ ସମ୍ପାଦକ ନିର୍ମଳ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ, ଦଳ ପକ୍ଷରୁ ହାଇକୋର୍ଟରେ ଏକ ଆବେଦନ କରାଯାଇଛି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ କରାଯାଇଛି । ବିଚାରପତି ପିଟିସନର ଶୁଣାଣି ପାଇଁ ରାଜି ହୋଇଛନ୍ତି । ଆସନ୍ତାକାଲି ଅର୍ଥାତ ୨୯ ତାରିଖ ଅପରାହ୍ନ ୨ଟା ୧୫ରେ ଏହାର ଶୁଣାଣି କରାଯିବ ।
ସୂଚନାଯୋଗ୍ୟ, ଶନିବାର କରୁରଠାରେ ଟିଭିକେର ଏକ ନିର୍ବାଚନୀ ରାଲିରେ ବିଜୟ ଭାଷଣ ଦେବା ସମୟରେ କିଛି ଲୋକ ଅଣନିଃଶ୍ଵାସୀ ହୋଇ ଚେତା ହରାଇଥିଲେ । ଏହା ପରେ ଦଳାଚକଟା ଘଟିଥିଲା । ଯେଉଁଥିରେ ୩୮ ଜଣଙ୍କ ପ୍ରାଣହାନୀ ଘଟିଥିଲା । ଆଜି ଆଉ୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ରାଲିରେ ସୁରକ୍ଷା ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜ୍ୟ ସରକାର କିଛି ଟିଭିକେ ନେତାଙ୍କ ବିରୋଧରେ ହତ୍ୟା ସମେତ ବିଭିନ୍ନ ଅଭିଯୋଗରେ ମାମଲା ରୁଜୁ କରିଛନ୍ତି । ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ନେତୃତ୍ୱରେ ଏକ ନ୍ୟାୟିକ ତଦନ୍ତ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।