ଦଳାଚକଟା ପରେ ବିଜୟଙ୍କ ଘରକୁ ବୋମାରେ ଉଡ଼ାଇବାକୁ ଧମକ, ସୁରକ୍ଷା ଏଜେନ୍ସୀ ଆଲର୍ଟ ମୋଡରେ

youtube

ତାମିଲନାଡ଼ୁ : ଶନିବାର କରୁରରେ ହୋଇଥିବା ଅଘଟଣରେ ସମସ୍ତେ ସ୍ତବ୍ଧ । ବିଜୟଙ୍କ ରାଲିରେ ଏହାପରେ ସାଉଥ ସୁପରଷ୍ଟାର ତଥା ଟିଭିକେର ସଭାପତି ବିଜୟଙ୍କ ବାସଭବନରେ ବୋମା ଧମକ ମିଳିଛି । ଜଣେ ଅଜଣା ବ୍ୟକ୍ତି ପୋଲିସକୁ ଫୋନ୍ କରି ବିଜୟଙ୍କ ଘରକୁ ଉଡ଼ାଇ ଦେବାକୁ ଧମକ ଦେଇଥିଲେ, ଯାହା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

ଖବର ମୁତାବକ, ସକାଳ ପ୍ରାୟ ୫ଟା ୨୦ ସମୟରେ ଚେନ୍ନାଇ ପୋଲିସ କଣ୍ଟ୍ରୋଲ ରୁମକୁ ଏକ କଲ୍ ଆସିଥିଲା, ଯେଉଁଥିରେ ଜଣେ ଅଜଣା ବ୍ୟକ୍ତି ବିଜୟଙ୍କ ବାସଭବନରେ ବିସ୍ଫୋରକ ରଖାଯାଇଛି ବୋଲି ଦାବି କରିଥିଲେ । ପୋଲିସ ଏହି ଖବର ପାଇବା ମାତ୍ରେ ବୋମା ଚିହ୍ନଟ ଏବଂ ନିଷ୍କ୍ରିୟକାରୀ ଦଳରୁ ତିନୋଟି ଦଳ, ଏକ ସ୍ନିଫର କୁକୁର ୟୁନିଟ୍ ସହିତ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ । ଯାହା ପରେ ସମଗ୍ର ଘର ଏବଂ ଆଖପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବରେ ଯାଞ୍ଚ କରାଯାଇଥିଲା । ପ୍ରାୟ ଏକ ଘଣ୍ଟାର ତଦନ୍ତ ପରେ ପୋଲିସକୁ କୌଣସି ବିସ୍ଫୋରକ ବାସଭବନରୁ ମିଳିନଥିଲା ।

ବୋମା ଧମକ ମିଥ୍ୟା ହୋଇଥାଇପାରେ, କିନ୍ତୁ ପୋଲିସ ଏବଂ ସୁରକ୍ଷା ବାହିନୀ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, କଲରଙ୍କୁ ଚିହ୍ନଟ କରାଯାଉଛି ଏବଂ ଏକ କଲ୍ ଟ୍ରେସିଂ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଧରାପଡିବା ପରେ ଅପରାଧୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୭ ତାରିଖରେ କରୁରରେ ବିଜୟଙ୍କ ନେତୃତ୍ୱରେ ଟିଭିକେ ରାଲି ସମୟରେ ଦଳାଚକଟାରେ ଏ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୪୦ରେ ପହଞ୍ଚିଛି ଏବଂ ୬୦ରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଅଛି । ଅନ୍ୟପଟେ ଅଭିନେତା ବିଜୟ ମୃତକଙ୍କ ପରିବାର ପାଇଁ ପ୍ରତ୍ୟେକଙ୍କୁ ୨୦ ଲକ୍ଷ ଏବଂ ଆହତଙ୍କ ପରିବାର ପାଇଁ ୨ ଲକ୍ଷ କ୍ଷତିପୂରଣ ଘୋଷଣା କରିଛନ୍ତି ।

Leave A Reply

Your email address will not be published.