
ନୂଆଦିଲ୍ଲୀ : ଅସୁସ୍ଥ ହୋଇପଡ଼ିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ହଠାତ୍ ସେ ଜ୍ୱର ଓ କ୍ଲାନ୍ତ ଅନୁଭବ କରିବାରୁ ତାଙ୍କୁ ବେଙ୍ଗାଲୁରୁ ସ୍ଥିତି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ଏମସ୍ ରମୈୟା ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।
ସୂତ୍ର ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ଖଡଗେଙ୍କୁ ପ୍ରବଳ ଜ୍ୱର ହୋଇଥିଲା। ଶ୍ୱାସକ୍ରିୟାରେ ମଧ୍ୟ ସେ ଅସହଜ ଅନୁଭବ କରିଥିଲେ। ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ରାତାରାତି ହସ୍ପିଟାଲ ନିଆଯାଇଥିଲା। ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ସହ ଏକାଧିକ ପରୀକ୍ଷାନିରୀକ୍ଷା କରିଛନ୍ତି।
ପ୍ରାଥମିକ ଯାଞ୍ଚ ପରେ ଡାକ୍ତରୀ ଟିମ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ଜାଣିବାକୁ ପାଇଛନ୍ତି। ତଥାପି ତାଙ୍କୁ ମେଡିକାଲ ନିରୀକ୍ଷଣରେ ରଖାଯାଇଛି। ଆଜି ସକାଳୁ ତାଙ୍କର ଆଉ କିଛି ଟେଷ୍ଟ ମଧ୍ୟ କରାଯାଇଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।
ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। କିନ୍ତୁ ତାଙ୍କ କେଉଁ ପ୍ରକାରର ଜ୍ୱର ହୋଇଛି, ତା’ର ରିପୋର୍ଟକୁ ମେଡିକାଲ ଟିମ ଅପେକ୍ଷା କରିଛନ୍ତି। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି।
ଖଡଗେଙ୍କ ଅସୁସ୍ଥତା ଖବରକୁ ଦଳୀୟ ନେତା ଓ କର୍ମୀ ବ୍ୟସ୍ତ ହୋଇପଡ଼ିଛନ୍ତି। ଅନେକ ନେତା ଆଶୁ ଆରୋଗ୍ୟକାମନା କରି ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ସେହିପରି କର୍ଣ୍ଣାଟକା କଂଗ୍ରେସର ଅନେକ ବରିଷ୍ଠ ନେତା ଅସୁସ୍ଥତା ଖବର ପାଇଁ ତୁରନ୍ତ ବେଙ୍ଗାଲୁରୁ ସ୍ଥିତ ହସ୍ପିଟାଲରେ ପହଞ୍ଚିଛନ୍ତି। ସମସ୍ତେ ରାତି ତମାମ ହସ୍ପିଟାଲ ଭିତରେ ଓ ବାହାରେ ଉପସ୍ଥିତ ରହିଥିଲେ। ସକାଳୁ ମଧ୍ୟ ସେମାନେ ଖଡଗେଙ୍କ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରିଛନ୍ତି।
୮୩ ବର୍ଷୀୟ ଖଡଗେ କଂଗ୍ରେସର ରାଜ୍ୟସଭା ସାଂସଦ। ଏବେ ସେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଭାବେ କାମ କରୁଛନ୍ତି। ୨୦୨୨ ଅକ୍ଟୋବର ମାସରେ ସେ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହୋଇଥିଲେ।