
ମଧ୍ୟପ୍ରଦେଶ: ଥଣ୍ଡା କାଶ ପାଇଁ ଖାଉଥିବା ଔଷଧ ଜୀବନ ପ୍ରତି ବିପଦପୂର୍ଣ୍ଣ ହୋଇପାରେ । ଏପରି ଜଣାପଡିଛି ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲାରେ । କଫ ସିରପ୍ ଖାଇବା ପରେ ଆଉ ତିନି ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଗତ ୨୦ଦିନରେ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଲାଣି । ଯାହାକି ଏକ ଚିନ୍ତାର ବିଷୟ ହୋଇଛି । ଉଲ୍ଲେଖନୀୟ ଯେ କାଶ ଔଷଧ ଖାଇବା ପରେ କିଡନୀ ଫେଲ ହେବା ସହିତ ମୃତ୍ୟୁର କାରଣ ହୋଇଛି । ରାଜସ୍ଥାନରେ ମଧ୍ୟ କାଶ ପାଇଁ ସିରପ୍ ଖାଇବା ପରେ ପିଲାମାନେ ମୃତ୍ୟୁବରଣ କରୁଛନ୍ତି ।
ରାଜସ୍ଥାନର ଭରତପୁରରେ ସଂକ୍ରମିତ କଫ୍ ସିରପ୍ ଖାଇବା ପରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । ଆଜି ସିକରରେ ଆଉ ଏକ ଶିଶୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ମୋଟ ୧୨ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଘଟଣାରେ ସିକରର ଚିରନା ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଡାକ୍ତର- ଫାର୍ମାସିଷ୍ଟଙ୍କୁ ନିଲମ୍ବିତ କରାଯାଇଛି । ଶୁକ୍ରବାର ଦିନ ଛିନ୍ଦୱାଡାରେ ଔଷଧ ଖାଇବା ପରେ ତିନି ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ଭୋପାଳ ସ୍ୱାସ୍ଥ୍ୟ ବିଭାଗ ଏହି ଦୁଇଟି ଔଷଧକୁ ନିଷିଦ୍ଧ କରିଥିଲା । ଛିନ୍ଦୱାଡାରେ ୫ଜଣ ଶିଶୁ ଏବେ ବି ଅସୁସ୍ଥ ଅଛନ୍ତି ।