
ଫିଲିପାଇନ୍ସ : ଫିଲିପାଇନ୍ସରେ ଟାଇଫୁନ୍ କଲମାଏଗିର ତାଣ୍ଡବ । ଏହି ଭୀଷଣ ବାତ୍ୟା ଫିଲିପାଇନ୍ସକୁ ଛାରଖାର କରିଦେଇଛି । ପ୍ରାୟ ୨୪୧ ଜଣ ପ୍ରାଣ ଚାଲିଯାଇଥିବା ବେଳେ ଅନେକ ନିଖୋଜ ରହିଛି । ସେଠିକାର ପରିସ୍ଥିତି ଦେଖି ଫିଲିପିନ୍ସର ରାଷ୍ଟ୍ରପତି ଦେଶରେ ଆପତ୍ତକାଳୀନ ସ୍ଥିତି ଘୋଷଣା କରିଛନ୍ତି । ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଟାଇଫୁନ ଯୋଗୁଁ ଅନେକ ଲୋକଙ୍କ ପାଖରେ ସାହାଯ୍ୟ ପହଞ୍ଚିପାରୁନି । ରେଡକ୍ରସକୁ କଲ୍ ଆସୁଛି ଆଉ ଲୋକ ସହାୟତା ପାଇଁ ଗୁହାରି କରୁଛନ୍ତି ।
ଖବର ମୁତାବକ, ଦେଶର ପୂର୍ବ ପ୍ରାନ୍ତରେ ଥିବା ଲେଟେ ଓ କେବୁରେ ବାତ୍ୟା ଲ୍ୟାଣ୍ଡଫଲ୍ କରିଥିଲା । ପାଣିପାଗ ବିଭାଗର କହିବାନୁସାରେ, ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୪୦ କିଲୋମିଟରରୁ ଅଧିକ ରହିଥିଲା । ପରେ ଏହା ୧୯୫ କିଲୋମିଟରକୁ ବୃଦ୍ଧି ପାଇଥିଲା । ଯେଉଁଥିରେ ଘର ଭାଙ୍ଗିବା ସହ ଅନେକ ଲୋକ ବନ୍ୟାରେ ଭାସି ଯାଇଥିଲେ ।
ଏହାସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ୬ ଜଣ ସୁରକ୍ଷାକର୍ମୀ ମଧ୍ୟ ପ୍ରାଣ ହରାଇଛନ୍ତି । କଲମାଏଗିର ପ୍ରଭାବିତ ପ୍ରାନ୍ତରେ ମାନବୀୟ ସହାୟତା ପହଞ୍ଚାଇବାକୁ ଯାଇଥିବା ବାୟୁସେନା ହେଲିକପ୍ଟରରେ ଏମାନେ ଥିଲେ । ଯାହା ଦୁର୍ଘଟଣାର ଶିକାର ହୋଇଥିଲା ।
ଫିଲିପାଇନ୍ସ ରେଡ୍ କ୍ରସ ସେକ୍ରେଟାରୀ କହିଛନ୍ତି ଯେ, ଅନେକ ବ୍ୟକ୍ତି ଘର ଭାଙ୍ଗିବା କାରଣରୁ ଫସି ରହିଥିଲେ । କିଛି ଲୋକଙ୍କୁ ବାତ୍ୟା ପୂର୍ବରୁ ସୁରକ୍ଷିତ ସ୍ଥାନକୁ ପଠାଯାଇଥିଲା । ଯେଉଁମାନେ ଫସି ରହିଥିଲେ ସେମାନଙ୍କୁ ଉଦ୍ଧାର କରାଯାଇଛି । ଏହି ସମୟରେ ଦେଶରେ ୧୬୦ଟି ବିମାନକୁ ବାତିଲ କରାଯାଇଥିଲା । ଏହି ଅଞ୍ଚଳରେ ଗତ ମାସରେ ବଡ ଭୂମିକମ୍ପ ମଧ୍ୟ ହୋଇଥିଲା । ଭୂକମ୍ପରୁ ପ୍ରଭାବିତ ଲୋକ ବାହାରିଥିବା ବେଳେ ପୁଣି ଟାଇଫୁନ ଛାରଖାର କରିଦେଇଛି ।