
ପାଟନା : ବିହାର ବିଧାନସଭାର ବାଚସ୍ପତି ହୋଇ ପାରନ୍ତି ବିଜେପିର ବରିଷ୍ଠ ବିଧାୟକ ପ୍ରେମ କୁମାର । ବିହାର ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ଏନଡିଏ । ବିଜୟ ପରେ ଏନଡିଏ ସହଯୋଗୀ ବିଜେପି , ଜେଡ଼ିୟୁ ଓ ଅନ୍ୟାନ୍ୟ ଦଳକୁ ନେଇ ନୀତୀଶ ମନ୍ତ୍ରିମଣ୍ଡଳ ଶପଥ ନେଇଥିଲେ ସୁଦ୍ଧା ବାଚସ୍ପତି ପଦକୁ ନେଇ ବିଜେପି ଓ ଜେଡ଼ିୟୁ ମଧ୍ୟରେ ଟଣା ଓଟରା ଲାଗି ରହିଥିଲା । ଏବେ ବିଜେପି ବରିଷ୍ଠ ବିଧାୟକ ପ୍ରେମ କୁମାରଙ୍କୁ ବାଚସ୍ପତି ପଦ ଏନଡିଏ ଦେଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।
ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ ଗୟା ଆସନରୁ ନବମ ଥର ପାଇଁ ଜିତିଥିବା ବରିଷ୍ଠ ବିଜେପି ବିଧାୟକ ପ୍ରେମ କୁମାରଙ୍କୁ ନୂତନ ବାଚସ୍ପତି ଭାବରେ ନିର୍ବାଚିତ କରିପାରେ ଏନଡିଏ । ରାଜ୍ୟ ବିଧାନସଭାର ନୂତନ ଅଧିବେଶନ ଡିସେମ୍ବର ୧ରୁ ଚାରି-ପାଞ୍ଚ ଦିନ ପାଇଁ ଡକାଯିବାର ସମ୍ଭାବନା ଅଛି ।
ଶ୍ରୀ କୁମାର, ନୀତୀଶ କୁମାରଙ୍କ ପୂର୍ବ ସରକାରରେ ମନ୍ତ୍ରୀ ଥିଲେ କିନ୍ତୁ ବିଜେପି ତାଙ୍କୁ ବାଚସ୍ପତି ପଦ ପାଇଁ ମନୋନୀତ କରିପାରେ ବୋଲି ସୂଚନା ମିଳିବା ପରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଯାଇଥିଲା । ଗତକାଲି ଜେଡିୟୁ ବିଧାୟକ ନରେନ୍ଦ୍ର ଯାଦବ ବିହାର ବିଧାନସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଇଛନ୍ତି ।