
ତାଇପେଇ : ଭୂକମ୍ପ ଝଟକାରେ ଥରିଲା ତାଇୱାନ ରାଜଧାନୀ ତାଇପେଇ । ଶନିବାର ବିଳମ୍ବିତ ରାତିରେ ତାଇୱାନର ଉତ୍ତର-ପୂର୍ବ ଉପକୂଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ୭.୦ ରହିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୟିଲାନ୍ ଜିଲ୍ଲାରୁ ପ୍ରାୟ ୩୦ କିଲୋମିଟର ଦୂର ସମୁଦ୍ର ମଧ୍ୟରେ ଥିଲା ।
ରାଜଧାନୀ ତାଇପେଇ ସମେତ ସାରା ଦ୍ୱୀପରେ ଶକ୍ତିଶାଳୀ କମ୍ପନ ଅନୁଭୂତ ହୋଇଛି । ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି । ଏଯାଏ କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା କେହି ମୃତାହତ ହୋଇଥିବାର ସୂଚନା ନାହିଁ । ବିଶ୍ୱର ସବୁଠାରୁ ବଡ଼ ଚିପ୍-ନିର୍ମାତା କମ୍ପାନୀ ‘TSMC’ କହିଛି ଯେ ସେମାନଙ୍କର କାର୍ଯ୍ୟ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା, କିନ୍ତୁ ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି ।
ଜାତୀୟ ଅଗ୍ନିଶମ ସଂସ୍ଥା କହିଛି ଯେ, ତାଇୱାନରେ ତୁରନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ । ଭୂମିକମ୍ପର ତୀବ୍ରତା ଅଧିକ ଥିଲେ ମଧ୍ୟ କୌଣସି ସୁନାମି ସତର୍କତା ଜାରି କରାଯାଇ ନାହିଁ । ବୁଧବାର ତାଇୱାନର ଦକ୍ଷିଣ-ପୂର୍ବ ଉପକୂଳବର୍ତ୍ତୀ କାଉଣ୍ଟି ତାଇତୁଙ୍ଗରେ ୬.୧ ତୀବ୍ରତାର ଭୂମିକମ୍ପ ଆସିବାର ମାତ୍ର ତିନି ଦିନ ପରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଏହା ପୂର୍ବରୁ ବୁଧବାର ଆସିଥିବା ଭୂମିକମ୍ପ ତାଇପେଇ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା । କୋଠାଘର ଦୋହଲି ଯାଇଥିଲା । ଭୂମିକମ୍ପର ଗଭୀରତା ପ୍ରାୟ ୧୧.୯ କିଲୋମିଟର ଥିଲା । ତେବେ ବାରମ୍ବାର ପୁନଃ- ଭୂକମ୍ପ ଝଟକା ହେବାର ସମ୍ଭାବନା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ କହିଛି ପ୍ରଶାସନ ।