ଲିକ୍ ହେଲା ଟ୍ରମ୍ପଙ୍କ ‘ମିଲିଟାରୀ ପ୍ଲାନ୍’!, ଗ୍ରୀନଲ୍ୟାଣ୍ଡରେ ହେବ ବିଶାଳ ସାମରିକ ବେସ୍

newyr25

ଆମେରିକା : ଗ୍ରୀନଲ୍ୟାଣ୍ଡରେ ଟ୍ରମ୍ପଙ୍କ ବଡ଼ ‘ସାମରିକ’ ଚାଲ୍ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗ୍ରୀନଲ୍ୟାଣ୍ଡ କିଣିବା ପ୍ରସ୍ତାବ କେବଳ ଏକ ବ୍ୟାପାରିକ ଚୁକ୍ତି ନୁହେଁ । ବରଂ ଏହା ପଛରେ ରହିଛି ଏକ ବଡ଼ ସାମରିକ ଅଭିଯାନ । ୟୁରୋପୀୟ ଦେଶଗୁଡ଼ିକ ଏହାକୁ ବିରୋଧ କରୁଥିବା ବେଳେ ଟ୍ରମ୍ପ ପ୍ରଶାସନ ଏହି ଦ୍ୱୀପକୁ ଆମେରିକାର ପ୍ରତିରକ୍ଷା କବଚ ଭାବେ ଗଢ଼ିବାକୁ ଯୋଜନା କରୁଛି । ଟ୍ରମ୍ପ ଗ୍ରୀନଲ୍ୟାଣ୍ଡରେ ଆମେରିକାର ସାମରିକ ଉପସ୍ଥିତିକୁ ବହୁଗୁଣିତ କରିବାକୁ ଚାହୁଁଛନ୍ତି । ଏଠାରେ ନୂତନ ଏୟାରବେସ୍ ଏବଂ ନୌସେନା ବନ୍ଦର ନିର୍ମାଣ କରି ଆର୍କଟିକ ଅଞ୍ଚଳରେ ନିଜର ପ୍ରଭାବ ବିସ୍ତାର କରିବା ଟ୍ରମ୍ପଙ୍କ ମୁଖ୍ୟ ଲକ୍ଷ୍ୟ । ଆର୍କଟିକ ଅଞ୍ଚଳରେ ରୁଷର ବଢ଼ୁଥିବା ସାମରିକ ଶକ୍ତି ଏବଂ ଚୀନ୍ ର “ପୋଲାର ସିଲ୍କ ରୋଡ୍ ” ଯୋଜନାକୁ ରୋକିବା ପାଇଁ ଗ୍ରୀନଲ୍ୟାଣ୍ଡକୁ ଏକ ‘ଷ୍ଟ୍ରାଟେଜିକ୍ ଗେଟୱେ’ ଭାବେ ବ୍ୟବହାର କରିବାକୁ ଆମେରିକା ଯୋଜନା କରିଛି ।

ଗ୍ରୀନଲ୍ୟାଣ୍ଡରେ ଥିବା ଆମେରିକାର ‘ଥୁଲେ ଏୟାର ବେସ୍ ‘ (Thule Air Base) ର ଆଧୁନିକୀକରଣ କରି ସେଠାରେ ଶକ୍ତିଶାଳୀ ରାଡାର ଏବଂ ମିସାଇଲ୍ ଇଣ୍ଟରସେପ୍ଟର ଲଗାଇବାକୁ ଟ୍ରମ୍ପ ଚାହୁଁଛନ୍ତି । ଯାହା ଦ୍ୱାରା ଉତ୍ତର ଗୋଲାର୍ଦ୍ଧରୁ ଆସୁଥିବା ଯେକୌଣସି ଆକ୍ରମଣକୁ ରୋକାଯାଇପାରିବ । ବରଫ ତରଳିବା ଯୋଗୁଁ ଆର୍କଟିକରେ ସୃଷ୍ଟି ହେଉଥିବା ନୂଆ ବାଣିଜ୍ୟିକ ଜଳପଥ ଉପରେ ସାମରିକ ନିୟନ୍ତ୍ରଣ ରଖିବାକୁ ଟ୍ରମ୍ପ ଏହି ଦ୍ୱୀପକୁ ନିଜ ଅଧୀନକୁ ଆଣିବାକୁ ଜିଦ୍ ଧରିଛନ୍ତି । ତେବେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ୟୁରୋପ । ୟୁରୋପୀୟ ସଂଘ ଏକ ମିଳିତ ବିବୃତିରେ କହିଛି ଯେ, ଟ୍ରମ୍ପଙ୍କ ଏହି ସାମରିକ ଯୋଜନା ବିଶ୍ୱ ଶାନ୍ତି ପାଇଁ ବିପଦ । ଗ୍ରୀନଲ୍ୟାଣ୍ଡକୁ ସାମରିକ ଆଡ୍ଡାରେ ପରିଣତ କଲେ ଏହା ରୁଷ ଓ ଆମେରିକା ମଧ୍ୟରେ ଏକ ନୂଆ ‘ଶୀତଳ ଯୁଦ୍ଧ’ ଆରମ୍ଭ କରିବ । ଡେନମାର୍କ ସ୍ପଷ୍ଟ କହିଛି, ସାମରିକ ସ୍ୱାର୍ଥ ପାଇଁ ଜଣେ ବନ୍ଧୁ ରାଷ୍ଟ୍ରର ଅଞ୍ଚଳକୁ ଜବରଦସ୍ତି କିଣିବା ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ । 

Leave A Reply

Your email address will not be published.