ସୁରକ୍ଷାକର୍ମୀଙ୍କ ଗୁଳିଲେ ୨ କ୍ୟାଡର୍‌ ମାଓବାଦୀ ନିହତ

add-all

କନ୍ଧମାଳ: କନ୍ଧମାଳଜିଲ୍ଲା ରାଇକିଆ ନନ୍ଦାବାଲି ସଂରକ୍ଷିତ ଜଙ୍ଗଲରେ ମାଓଶିବିର ଧ୍ବଂସ କଲେ ସୁରକ୍ଷାକର୍ମୀ । ଏହି ସମୟରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ କେକେବିଏନ୍‌ ମାଓ ଡିଭିଜନ୍‌ର ଡେପୁଟି କମାଣ୍ଡର୍‌ ଜଗେଶ ଓ ମହିଳା କ୍ୟାଡର୍‌ ରତ୍ନା ନିହତ ହୋଇଛନ୍ତି । ଉଭୟ ଛତିଶଗଡ଼ ସୁକମା ଜିଲ୍ଲାର ବୋଲି ଜଣାପଡିଛି ।

ଜଗେଶ ମୁଣ୍ଡରେ ୨୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବାବେଳେ, ରତ୍ନାର ମୁଣ୍ଡ ପାଇଁ ଥିଲା ୧ ଲକ୍ଷ ୬୫ ହଜାର ଟଙ୍କା ରାଶି ଥିଲା । ମାଓ ଶିବିରକୁ ଧ୍ବଂସ ବେଳେ ସେଠାରୁ ଗୋଟିଏ ଏକେ-୪୭ ରାଇଫଲ, ଗୋଟିଏ ୟୁବିଜିଏଲ, ଗୋଟିଏ ୭.୬୨ ଏମଏମ୍‌ ଗୁଳିଭର୍ତ୍ତି ରାଇଫଲ୍‌, ଗୋଟିଏ ଇନସାସ ମାଗାଜିନ, ୨ଟି ଏସ୍‌ଏଲ୍‌ଆର୍‌ ମାଗାଜିନ୍‌, ଗୋଟିଏ ଏକେ-୪୭ ମାଗାଜିନ୍‌, ୬ଟି ୟୁବିଜିଏଲ ଗ୍ରେନେଡ, ୧୧ଟି ଏକେ-୪୭ ବଲ ଆମ୍ୟୁନିସନ, ୪ଟି ଇନସାସ୍‌ ବଲ୍‌ ଆମ୍ୟୁନିସନ୍‌, ୪ଟି ଏସଏଲଆର୍‌ ବଲ ଆମ୍ୟୁନିସନ, ୩ଟି ଡିଟୋନେଟର୍‌, କୋଡେକ୍ସ, ମାଗାଜିନ୍‌ ପାଉଚ୍‌, ହାଭରସାକ୍‌ ବ୍ୟାଗ୍‌, ୱାକିଟକି, ସୋଲାର୍‌ ପ୍ୟାନେଲ୍‌, ଟର୍ଚ୍ଚ, ପାୱାର୍‌ବ୍ୟାଙ୍କ୍‌, ମାଓ ପତ୍ରିକା, କାଲକୁଲେଟର, ଔଷଧ, ପଲିଥିନ୍‌, ଜୋତା, ବାସନକୁସନ, ଛତା, ଶୀତବସ୍ତ୍ର ଆଦି ରହିଛି ।

ଏନେଇ ଆଜି ଫୁଲବାଣୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଇକିଆ ଥାନା ନନ୍ଦାବାଲି ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଠୁଳ ହୋଇଥିବା ଗୁଇନ୍ଦା ସୂଚନା ମିଳିଥିଲା । ଗତ ୨୦ ତାରିଖ ରାତିରେ ସିଆରପିଏଫ, ଏସଓଜି ଏବଂ ଡିଭିଏଫର ମିଳିତ ଟିମ୍‌ ସର୍ଚ୍ଚ ଅପରେସନରେ ଥିବା ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ଏଥିରେ ୨ କ୍ୟାଡର୍‌ ମାଓବାଦୀ ନିହତ ହୋଇଥିଲେ, ଅନ୍ୟମାନେ ଛତ୍ରଭଙ୍ଗ ଦେଇଥିଲେ ।

ad-week
Leave A Reply

Your email address will not be published.