
ମାର୍ଶାଘାଇ : ଭିଜିଲାନ୍ସ ଜାଲରେ ଜଳସଂପଦ ବିଭାଗର କୋଟିପତି ଯନ୍ତ୍ରୀ । ଘରୁ ବାହାରିଲା ପୁଳା ପୁଳା ଟଙ୍କା । ନଗଦ ସାଢ଼େ ୪ ଲକ୍ଷ ଟଙ୍କା ଜବତ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଇରିଗେସନ ସବ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କର ଭୁବନେଶ୍ବରରେ ଗୋଟିଏ ଓ ଚୌଦ୍ବାରରେ ଗୋଟିଏ ବହୁତଳ କୋଠା ରହିଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରମୋଦଙ୍କ ବିଭିନ୍ନ ଠିକଣାରେ ଚାଲିଛି ଭିଜିଲାନସ ଚଢାଉ । ରେଡ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଓ ଅଫିସ କାଗଜପତ୍ର ଜବତ ହୋଇଛି । କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଭଦ୍ରକ ଓ ଭୁବନେଶ୍ବରରେ ଏକକାଳୀନ ଚାଲିଛି ରେଡ୍ ।
ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କ ଅଫିସ ସହ ଭଦ୍ରକ ଜିଲ୍ଲା ତିହିଡି ରାଣୀପୁରରେ ଥିବା ଶ୍ବଶୁର ଘରେ ଯାଞ୍ଚ ଚାଲିଛି । ପୂର୍ବରୁ ପ୍ରମୋଦ ରାୟ କେନ୍ଦ୍ରାପଡା ଇନ୍ଦୁପୁର ସ୍ଥିତ ଜଳସମ୍ପଦ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଏବେ ଛତାଛକ ସ୍ଥିତ କାର୍ଯ୍ୟାଳୟ ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି l ୧୯୮୮ ମସିହାରେ ପ୍ରମୋଦ ରାୟ ଜଳସଂପଦ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ ଚାକିରି ଆରମ୍ଭ କରିଥିଲେ । ସେତେବେଳେ ତାଙ୍କର ଦରମା ଥିଲା ୧୫୦୦ଟଙ୍କା । ବାଲିଅନ୍ତାରେ ୮ହଜାର ବର୍ଗଫୁଟ ଜମିରେ ଏକ ଚାରି ମହଲା କୋଠା ରହିଛି । ସେହିପରି ଚୌଦ୍ବାରରେ ପ୍ରାୟ ୫ହଜାର ୨ଶହ ବର୍ଗଫୁଟ ଜମିରେ ରହିଛି ଦି ମହଲା ବିଲଡିଂ । ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କର ଭୁବନେଶ୍ବର ଓ ଚୌଦ୍ବାରରେ ତାଙ୍କର ଦୁଇଟି ପ୍ଲଟ ଠାବ ହୋଇଛି । ଘରୁ ନଗଗ ୪ ଲକ୍ଷ ୪୮ ହଜାର ଟଙ୍କା ଜବତ ହୋଇଛି । ବ୍ୟାଙ୍କ, ପୋଷ୍ଟାଲ ଓ ଅନ୍ୟ ନିବେଶ ସଂପର୍କରେ ଯାଞ୍ଚ କରାଯାଉଛି । ଚଢାଉରେ ୨ଜଣ ଅତିରିକ୍ତ SP, ୯ ଡିଏସ୍ ପି , ୯ ଇନ୍ସପେକ୍ଟର, ୪ ASI ଓ ଭିଜିଲାନ୍ସ କର୍ମଚାରୀ ସାମିଲ ଅଛନ୍ତି ।