
ଭୁବନେଶ୍ୱର: ଆସନ୍ତା ୧୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ। କାଳବୈଶାଖୀ ପ୍ରଭାବରେ ୧୫ ତାରିଖରେ ମୟୂରଭଞ୍ଜ ଓ କେନ୍ଦୁଝରରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାବେଳେ ଶନିବାର ୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡାରେ ସର୍ୱାଧିକ ତାପମାତ୍ରା ୪୦.୨ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଏହା ତଳକୁ ସମ୍ୱଲପୁର ୪୦ ଡିଗ୍ରୀ ଏବଂ ଟିଟିଲାଗଡରେ ୪୦ ଡିଗ୍ରୀ ରହିଥିଲା। ତେବେ ରବିବାରଠାରୁ ଗରମରୁ ସାମୟିକ ଆଶ୍ୱସ୍ତି ମିଳିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଉତ୍ତର-ପୂର୍ୱ ଉତ୍ତରପ୍ରଦେଶର ମଧ୍ୟଭାଗରୁ ଛତିଶଗଡ଼ ଦେଇ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଥିବା ଟ୍ରଫ୍ ଜାରି ରହିଛି। ଏହା ପ୍ରଭାବରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ମେଘୁଆ ରହିବା ସହିତ ବିଭିନ୍ନ ସ୍ଥାନରେ ପବନ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ରବିବାର ମୟୂରଭଞ୍ଜ ଓ କେନ୍ଦୁଝର ଜିଲାକୁ ଝଡ଼ବର୍ଷା ସହିତ ଘଡଘଡି ବିଜୁଳି ନେଇ ୟେଲୋ ଓ୍ୱାର୍ନିଂ ଜାରି କରାଯାଇଛି। ସେହିପରି ଅନ୍ୟ ଜିଲାଗୁଡିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦିଆଯାଇଛି।
୧୬ ତାରିଖରେ ରାୟଗଡ଼ା, ମୟୂରଭଞ୍ଜ ଓ କେନ୍ଦୁଝରରେ ଝଡ଼ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଆଗକୁ ବର୍ଷା ଥିବାରୁ ଆସନ୍ତା ୪ ଦିନ ରାଜ୍ୟରେ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ କମିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୧୭ ଓ ୧୮ ତାରିଖରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।