
ଭୁବନେଶ୍ବର: ଗ୍ୟାସ ସଙ୍କଟ ଯୋଗୁଁ ଖାଦ୍ୟ ପ୍ଲେଟ୍ ଦାମ ବଢ଼ାଇଲେ ଜଳଖିଆ ଦୋକାନୀ । ପୂର୍ବରୁ ପ୍ଲେଟ ୨୦ ଟଙ୍କା ନେଉଥିଲେ, ଏବେ ନେଉଛନ୍ତି ୨୫ଟଙ୍କା । ଗ୍ୟାସ ଦାମ ବୃଦ୍ଧି କହି ଗ୍ରାହକଙ୍କଠାରୁ ୫ଟଙ୍କା ଅଧିକ ନେଉଛନ୍ତି ଦୋକାନୀ । କିଛି ଗ୍ରାହକ ରାଜି ହୋଇ ଦେଉଥିବାବେଳେ ଆଉ କିଛି ମନ ଊଣା କରୁଛନ୍ତି । ଦାମ ବଢିଯିବା ଯୋଗୁଁ ସିଧାସଳଖ ଗ୍ରାହକଙ୍କ ପକେଟକୁ ବାଧୁଛି । ଏପଟେ ପୂର୍ବରୁ ଯେଉଁ ଗ୍ୟାସ ସିଲିଣ୍ଡର ହଜାରେ ଟଙ୍କାରେ କିଣିବାକୁ ପଡ଼ୁଥିଲା, ଏବେ ୨ହଜାର ଟଙ୍କା ଦେବାକୁ ପଡୁଛି ବୋଲି କହିଛନ୍ତି ଦୋକାନୀ । କେବଳ ଜଳଖିଆ ନୁହେଁ ଚା ଦର ମଧ୍ୟ ବଢ଼ିଛି । ଚା କପ୍ ୫ ଟଙ୍କା ଥିବା ବେଳେ ଏବେ ୭ ଟଙ୍କା ନେଉଛନ୍ତି ।
ପୁରୀ: ପୁରୀରେ ମଧ୍ୟ ରନ୍ଧନ ଗ୍ୟାସର ଅଭାବ ଯୋଗୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବଡ଼ ବଡ଼ ହୋଟେଲ, ରେଷ୍ଟୁରାଣ୍ଟରେ ରନ୍ଧନ ଗ୍ୟାସର ଅଭାବ ପ୍ରଭାବ ପଡିଛି । ଛୋଟ ଛୋଟ ଦୋକାନୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଉଦଳା: ଗ୍ୟାସ୍ ସଙ୍କଟ ଯୋଗୁ ବନ୍ଦ ହେଲା ହୋଟେଲ। ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଗ୍ୟାସ୍ ସମସ୍ୟା ଦେଖାଦେଇଛି । ଗ୍ୟାସ୍ ସିଲିଣ୍ଡର ମିଳୁନଥିବାରୁ ଉଦଳାର ଅନେକ ହୋଟେଲ ଓ ରେଷ୍ଟୁରାଣ୍ଟ ବନ୍ଦ ରହିଛି ।