SEBC ଛାତ୍ର-ଛାତ୍ରୀଙ୍କ ପାଇଁ ସଂରକ୍ଷଣ, ଜୋର ଧରିଲା ରାଜନୀତି

add-all

ଭୁବନେଶ୍ଵର: ରାଜ୍ୟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତି | ଦୀର୍ଘ ଦିନର ଦାବିକୁ ପୂରଣ କରିଛନ୍ତି ମୋହନ ସରକାର | ଏଣିକି ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ ଛାତ୍ରଛାତ୍ରୀମାନେ ୧୧.୨୫ ପ୍ରତିଶତ ସଂରକ୍ଷଣ ପାଇବେ | ମେଡ଼ିକାଲ, ଇଞ୍ଜିନିଅରିଂ, ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ନୀତିରେ ରାଜ୍ୟ କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି |
ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ଅନୁସୂଚିତ ଜନଜାତି ୨୨.୫୦ ପ୍ରତିଶତ, ଅନୁସୂଚିତ ଜାତି ୧୬.୨୫ ପ୍ରତିଶତ ଏବଂ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ ଛାତ୍ରଛାତ୍ରୀମାନେ ୧୧.୨୫ ପ୍ରତିଶତ ସଂରକ୍ଷଣ ପାଇବେ | ତେବେ ଏହି ନିଷ୍ପତି ସମାଜର ଅନ୍ତିମ ଶ୍ରେଣୀରେ ଥିବା ପ୍ରତିଭାମାନଙ୍କ ସ୍ୱପ୍ନକୁ ପୂରଣ କରିବା ଦିଗରେ ଐତିହାସିକ ପଦକ୍ଷେପ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |
ଏହାସହିତ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ | ପୂର୍ବରୁ ଏନେଇ ଡିସେମ୍ବର ୩୧, ୨୦୨୦, ଜାନୁଆରୀ ୧୫, ୨୦୨୦ ଏବଂ ଜୁଲାଇ ୨୫, ୨୦୧୯ରେ ଚିଠି ଲେଖି ଓବିସି ଓ ଏସଇବିସି ବର୍ଗଙ୍କ ସଂରକ୍ଷଣ ବୃଦ୍ଧି ପାଇଁ ତତ୍କୀଳୀନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର ପ୍ରଧାନ | ଏହାସହ ଅଗଷ୍ଟ ୬, ୨୦୨୫ ଓ ଏପ୍ରିଲ ୧୭, ୨୦୨୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏ ସମ୍ପର୍କରେ ପତ୍ର ଲେଖିଥିଲେ | ଚଳିତ ଶିକ୍ଷା ବର୍ଷରୁ ଉଚ୍ଚଶିକ୍ଷାରେ ସଂରକ୍ଷଣ ବ୍ୟବସ୍ତା ଲାଗୁ କରିବାକୁ ସରକାର ନିଷ୍ପତି ନେଇଛନ୍ତି | ଶିକ୍ଷା ବର୍ଷ ଆରମ୍ଭ ଯଦିଓ ହୋଇଯାଇଛି, କ୍ୟାବିନେଟ ନିଷ୍ପତି ଅନୁଯାୟୀ ସଂରକ୍ଷଣ ଲାଗୁ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି | ସେପଟେ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି | ସେମାନେ ଏହାଦ୍ୱାରା ଉପକୃତ ହେବେ ବୋଲି କହିଛନ୍ତି।
ସେପଟେ ଏହାକୁ ନେଇ ରାଜ୍ୟରେ ସଂରକ୍ଷଣ ରାଜନୀତି ଜୋର ଧରିଛି | ବିରୋଧୀ ପୂର୍ବରୁ ଏ ପ୍ରସଙ୍ଗରେ ଦାବି କରି ଆସୁଥିଲେ ଵି ନିଷ୍ପତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି| ଯାହାର ସଂଖ୍ୟା ଯେତେ ତାର ଭାଗ ସେତେ | ସେହି ଆଧାରରେ ଦେଖିଲେ ଆମ ରାଜ୍ୟରେ ୫୩ ପ୍ରତିଶତ ହେଉଛନ୍ତି ପଛୁଆ ବର୍ଗଙ୍କ ସଂଖ୍ୟା | ହେଲେ ସେମାନଙ୍କ ପାଇଁ ମାତ୍ର ୧୧.୨୫ ପ୍ରତିଶତ ଠିକ ନୁହେଁ ବୋଲି କହିଛନ୍ତି ପିସିସି ଭକ୍ତ ଦାସ |
ସେପଟେ ତାମିଲନାଡୁ ଏବଂ କର୍ଣ୍ଣାଟକ ଭଳି ରାଜ୍ୟରେ ଓବିସି ମାନଙ୍କ ସଂଖ୍ୟା ଅନୁଯାଇ ଯେତିକି ସଂରକ୍ଷଣ ମିଳୁଛି ଆମେ ସେତିକି ସେମାନଙ୍କୁ ସଂରକ୍ଷଣ ଦେବାକୁ ଦାବି କରୁଛୁ ବୋଲି କହିଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ | ଗତ ସରକାର ଏହାକୁ ଲାଗୁ କରିବାରେ ବିଫଳ ହୋଇଥିଲେ ଯାହାଦ୍ୱାରା ପଛୁଆ ବର୍ଗ ନିଜ ଅଧିକାର କ୍ଷୁର୍ଣ ହେଉଥିଲା ବୋଲି କହିଛନ୍ତି ବିଭଗୀୟ ମନ୍ତ୍ରୀ।
ରାଜ୍ୟ ସରକାରଙ୍କ ଏହି ନିଷ୍ପତି ପରେ ରାଜ୍ୟରେ Under Graduate ଓ Post Graduate କୁ ମିଶାଇ ରାଜ୍ୟର ସମୁଦାୟ ମେଡ଼ିକାଲ ସିଟରେ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ ବା (SEBC) ର ଛାତ୍ରଛାତ୍ରୀମାନଙ୍କ ପାଇଁ ୨୭୨ ସିଟ ସଂରକ୍ଷିତ ରହିବ ଯାହା ପୂର୍ବରୁ ଏହି ସଂଖ୍ୟା ଶୂନ ଥିଲା | ସେହିଭଳି ରାଜ୍ୟରେ ସମୁଦାୟ ଇଞ୍ଜିନିଅରିଂ ସିଟରେ ସେହିପରି ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ (SEBC) ର ଛାତ୍ରଛାତ୍ରୀମାନଙ୍କ ପାଇଁ ୫୦୧୫ ସଂରକ୍ଷିତ ରହିବ, ପୂର୍ବରୁ ଏହିସଂଖ୍ୟା ଶୂନ ଥିଲା।

Leave A Reply

Your email address will not be published.