ବାଲି ମାଫିଆଙ୍କ କବଜାରେ ଇନ୍ଦ୍ରାବତୀ: ପ୍ରଶାସନ ନିଦାବିଷ୍ଣୁ, କୋଟି କୋଟି ଟଙ୍କାର ରାଜସ୍ୱ ହାନି

add-all

କୋରାପୁଟ, ୦୫/୦୪/୨୬ (ରିପୋର୍ଟ – ବସନ୍ତ ପେଗଡ଼): କୋରାପୁଟ ଜିଲ୍ଲା କୋଟପାଡ଼ ତହସିଲ ଅନ୍ତର୍ଗତ ଇନ୍ଦ୍ରାବତୀ ନଦୀ କୂଳର ବିଭିନ୍ନ ଅଞ୍ଚଳରୁ ବେଆଇନ ଭାବେ ବାଲି ଉତ୍ତୋଳନ କରିବାରେ ବ୍ୟସ୍ତ ରହୁଛନ୍ତି ବାଲି ମାଫିଆ। କୋଟପାଡ଼ରେ କନିଷ୍ଠ ଲଘୁ ଖଣିଜ ଅଧିକାରୀ ପଦସ୍ଥ ଥିଲେ ସୁଦ୍ଧା ବେଆଇନ କାରବାର ବିରୋଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ପୂର୍ବରୁ ଏହି ବାଲିଘାଟ ଗୁଡ଼ିକ ରାଜସ୍ୱ ବିଭାଗ ଅଧୀନରେ ଥିବା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁନଥିଲା। କିନ୍ତୁ ବର୍ତ୍ତମାନ ଲଘୁ ଖଣିଜ ଉତ୍ସ ଯଥା ବାଲିଘାଟ, ମୁରୁମ ଖାଦାନ ଓ ପଥର କୁଆରୀ ଖଣିଜ ବିଭାଗ ଅଧୀନକୁ ଆସିବା ପରେ ବେଆଇନ କାରବାର ବୃଦ୍ଧି ପାଇଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ଗୀର୍ଲ୍ଲା ରାଜସ୍ୱ ମଣ୍ଡଳ ଅନ୍ତର୍ଗତ ଅଙ୍କୁଲା ଗ୍ରାମ ନିକଟରେ ଇନ୍ଦ୍ରାବତୀ ନଦୀଗର୍ଭରୁ ଜେସିବି (JCB) ମେସିନ ସାହାଯ୍ୟରେ ଦିନରାତି ବାଲି ଉଠାଣ ଚାଲିଛି। ଖଣିଜ ଉତ୍ସ ଗୁଡ଼ିକର କୌଣସି ନିଲାମ ହୋଇ ନଥିବା ବେଳେ କାହା ଆଦେଶରେ ଏହି ପ୍ରାକୃତିକ ସମ୍ପଦକୁ ଲୁଟ କରାଯାଉଛି, ତାହା ଏବେ ତଦନ୍ତ ସାପେକ୍ଷ।
ଅନ୍ୟପକ୍ଷରେ, ଶହ ଶହ ଟିପ୍ପର ବାଲି ବେଆଇନ ଭାବେ ବୁହାଯାଇ କାକଡି-କୋନାଡି କେନାଲ ପାର୍ଶ୍ୱରେ ଗଦା ହୋଇ ରହିଛି। ଏ ସମ୍ପର୍କରେ ସ୍ଥାନୀୟ କନିଷ୍ଠ ବିଭାଗୀୟ ଅଧିକାରୀ କିମ୍ବା କୋରାପୁଟ ଡି.ଡି.ଏମ (DDM)ଙ୍କୁ ପଚାରିଲେ କୌଣସି ସନ୍ତୋଷଜନକ ଉତ୍ତର ମିଳୁନାହିଁ। ବିଭାଗୀୟ ଅଧିକାରୀଙ୍କ ଏପରି ନିରବତା ସେମାନଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣୁଛି।
ପ୍ରାକୃତିକ ସମ୍ପଦକୁ ସୁରକ୍ଷା ଦେବା ପାଇଁ ଦାୟିତ୍ୱବାନ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଥିଲେ ମଧ୍ୟ ସେମାନଙ୍କ ଆଖି ଆଗରେ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେବା ସହ ପ୍ରକୃତି ନଷ୍ଟ ହେବାରେ ଲାଗିଛି। ଏହି ଘଟଣାର ନିରପେକ୍ଷ ତଦନ୍ତ କରି ବେଆଇନ କାରବାରରେ ଜଡ଼ିତ ଅସାଧୁ ବ୍ୟକ୍ତି ଓ ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ad-week
Leave A Reply

Your email address will not be published.