ସାମୁଦ୍ରିକ ପଥ ‘ବାବ୍ ଅଲ୍-ମଣ୍ଡେବ୍’ (Bab al-Mandeb) କୁ ବନ୍ଦ କରିବାକୁ ଧମକ ଦେଲା ଇରାନ

add-all

ତେହେରାନ୍ / ୱାଶିଂଟନ୍: ହରମୁଜ୍ ଜଳପଥ (Strait of Hormuz) କୁ ବନ୍ଦ କରିବା ପରେ ଇରାନ ଏବେ ଆଉ ଏକ ପ୍ରମୁଖ ସାମୁଦ୍ରିକ ପଥ ‘ବାବ୍ ଅଲ୍-ମଣ୍ଡେବ୍’ (Bab al-Mandeb) କୁ ବନ୍ଦ କରିବାକୁ ଧମକ ଦେଇଛି। ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ଜଣେ ବରିଷ୍ଠ ଉପଦେଷ୍ଟା ଏହି ଚେତାବନୀ ଦେଇଛନ୍ତି। ଯଦି ଏହି ଜଳପଥ ବନ୍ଦ ହୁଏ, ତେବେ ବିଶ୍ୱର ଏକ-ଚତୁର୍ଥାଂଶ (୨୫%) ତୈଳ ଓ ଗ୍ୟାସ୍ ଯୋଗାଣ ଏବଂ ଏସିଆରୁ ୟୁରୋପକୁ ହେଉଥିବା ରପ୍ତାନି ବହୁଳ ମାତ୍ରାରେ ପ୍ରଭାବିତ ହେବ।

ଇରାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ କୂଟନୀତିଜ୍ଞ ଅଲି ଆକବର ଭେଲାୟତି ନିଜ ଏକ୍ସ (X) ପୋଷ୍ଟରେ ଲେଖିଛନ୍ତି ଯେ, “ଆମେରିକା ଯଦି ନିଜର ବୋକାମୀର ପୁନରାବୃତ୍ତି କରେ, ତେବେ ଗୋଟିଏ ପଦକ୍ଷେପରେ ବିଶ୍ୱର ଶକ୍ତି ଓ ବାଣିଜ୍ୟ ପ୍ରବାହକୁ ବନ୍ଦ କରିଦିଆଯାଇପାରିବ।” ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ପାୱାର ପ୍ଲାଣ୍ଟ ଏବଂ ବ୍ରିଜ୍ ଉଡ଼ାଇ ଦେବାକୁ ଧମକ ଦେବା ପରେ ଇରାନ ପକ୍ଷରୁ ଏହି ପାଲଟା ଜବାବ ଆସିଛି।

ବାବ୍ ଅଲ୍-ମଣ୍ଡେବ୍ କେଉଁଠି ଅଛି?

ଏହି ଜଳପଥଟି ୟେମେନ୍ ଏବଂ ଆଫ୍ରିକାର ଜିବୋଟି ଓ ଇରିଟ୍ରିଆ ମଧ୍ୟରେ ଅବସ୍ଥିତ। ଏହା ଲୋହିତ ସାଗର (Red Sea) କୁ ଏଡେନ୍ ଉପସାଗର ସହ ଯୋଡ଼ିଥାଏ। ଏହାର ସବୁଠାରୁ ସଂକୀର୍ଣ୍ଣ ସ୍ଥାନର ଓସାର ମାତ୍ର ୨୯ କିଲୋମିଟର। ବର୍ତ୍ତମାନ ଏହା ଇରାନ ସମର୍ଥିତ ୟେମେନର ହୁଥି (Houthi) ବିଦ୍ରୋହୀଙ୍କ ନିୟନ୍ତ୍ରଣରେ ରହିଛି, ଯାହାକୁ ଇରାନ ନିଜ ‘ଆକ୍ସିସ୍ ଅଫ୍ ରେଜିଷ୍ଟାନ୍ସ’ର ଏକ ପ୍ରମୁଖ ଅଙ୍ଗ ମାନେ।

ଶକ୍ତି ବାଣିଜ୍ୟ ପାଇଁ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ?

ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ମଧ୍ୟରୁ ଏହା ଅନ୍ୟତମ।

  •  ତୈଳ ରପ୍ତାନି: ଏହି ପଥ ଦେଇ ସାଉଦି ଆରବ ଏବଂ ଅନ୍ୟ ଉପସାଗରୀୟ ଦେଶଗୁଡ଼ିକ ୟୁରୋପ ଏବଂ ଏସିଆକୁ ଅଶୋଧିତ ତୈଳ ରପ୍ତାନି କରିଥାଆନ୍ତି।
  •  ବିଶ୍ୱ ଯୋଗାଣର ୫%: ୨୦୨୪ ମସିହାରେ ପ୍ରାୟ ୪.୧ ବିଲିୟନ୍ ବ୍ୟାରେଲ୍ ଅଶୋଧିତ ତୈଳ ଓ ପେଟ୍ରୋଲିୟମ୍ ସାମଗ୍ରୀ ଏହି ପଥ ଦେଇ ଯାଇଥିଲା।
  •  ହରମୁଜ୍ ସହ ଯୋଡ଼ା ବିପଦ: ଯଦି ଇରାନ ଉଭୟ ‘ହରମୁଜ୍’ ଏବଂ ‘ବାବ୍ ଅଲ୍-ମଣ୍ଡେବ୍’ ଜଳପଥକୁ ଏକାସାଙ୍ଗରେ ବନ୍ଦ କରିଦିଏ, ତେବେ ସମଗ୍ର ବିଶ୍ୱର ପ୍ରାୟ ୨୫% ତୈଳ ଓ ଗ୍ୟାସ୍ ଯୋଗାଣ ସମ୍ପୂର୍ଣ୍ଣ ଠପ୍ ହୋଇଯିବ।
  •  ସାଉଦି ଆରବ ପାଇଁ ବଡ଼ ଝଟକା: ହରମୁଜ୍ ବନ୍ଦ ହେବା ପରେ ସାଉଦି ଆରବ ନିଜର ଇଷ୍ଟ-ୱେଷ୍ଟ୍ ପାଇପଲାଇନ୍ (East West Pipeline) ମାଧ୍ୟମରେ ଏହି ବାବ୍ ଅଲ୍-ମଣ୍ଡେବ୍ ପଥ ଦେଇ ତୈଳ ଯୋଗାଣକୁ ଦୈନିକ ୭ ନିୟୁତ ବ୍ୟାରେଲକୁ ବୃଦ୍ଧି କରିଥିଲା। ଏହି ପଥ ବନ୍ଦ ହେଲେ ସାଉଦି ଆରବର ରପ୍ତାନି ବହୁଳ ମାତ୍ରାରେ ପ୍ରଭାବିତ ହେବ।
  •  ଏହାବ୍ୟତୀତ ଚୀନ୍ ଏବଂ ଭାରତ ଭଳି ଏସୀୟ ଦେଶରୁ ୟୁରୋପକୁ ଯାଉଥିବା କଣ୍ଟେନରକୁ ମିଶାଇ ବିଶ୍ୱ ବାଣିଜ୍ୟର ୧୦% ଏହି ପଥ ଉପରେ ନିର୍ଭରଶୀଳ।

ଇରାନ ଓ ତା’ର ସହଯୋଗୀ କିପରି ଏହାକୁ ବନ୍ଦ କରିପାରିବେ?

ଇରାନ ସମର୍ଥିତ ହୁଥି ବିଦ୍ରୋହୀମାନେ ପୂର୍ବରୁ ଏହି ଜଳପଥକୁ ବନ୍ଦ କରିବାର କ୍ଷମତା ଦେଖାଇ ସାରିଛନ୍ତି। ଗାଜା ଯୁଦ୍ଧ ସମୟରେ ଆମେରିକା ଏବଂ ଇସ୍ରାଏଲର ଜାହାଜଗୁଡ଼ିକୁ ସେମାନେ ନିରନ୍ତର ଟାର୍ଗେଟ୍ କରିଥିଲେ। ଆମେରିକାର ପୂର୍ବତନ କୂଟନୀତିଜ୍ଞ ନବୀଲ ଖୌରୀଙ୍କ ମତରେ, ଯଦି ହୁଥିମାନେ ପ୍ରକୃତରେ ଯୁଦ୍ଧରେ ଓହ୍ଲାଇବାକୁ ଚାହାଁନ୍ତି, ତେବେ ବାବ୍ ଅଲ୍-ମଣ୍ଡେବ୍ ହେବ ସେମାନଙ୍କର ବଡ଼ ଅସ୍ତ୍ର। ସେମାନେ କେବଳ ଦୁଇଟି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲେ ସମ୍ପୂର୍ଣ୍ଣ ଲୋହିତ ସାଗରରେ ବାଣିଜ୍ୟ କାରବାର ବନ୍ଦ ହୋଇଯିବ, କାରଣ ବୀମା କମ୍ପାନୀଗୁଡ଼ିକ ସୁରକ୍ଷା ଦେବାକୁ ମନା କରିଦେବେ।

ବିଶ୍ୱ ପାଇଁ ଏହାର ପରିଣାମ କ’ଣ ହେବ?

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ମଧ୍ୟପ୍ରାଚ୍ୟ ବିଶେଷଜ୍ଞ ଏଲିଜାବେଥ୍ କେଣ୍ଡାଲ ଏହି ସ୍ଥିତିକୁ ଏକ “ଭୟଙ୍କର ସ୍ୱପ୍ନ” ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଏକାସାଙ୍ଗରେ ହରମୁଜ୍ ଏବଂ ବାବ୍ ଅଲ୍-ମଣ୍ଡେବ୍ ଜଳପଥ ଉପରେ କଟକଣା ଲାଗିଲେ ୟୁରୋପକୁ ହେଉଥିବା ବାଣିଜ୍ୟ ସମ୍ପୂର୍ଣ୍ଣ ରୂପେ ପଙ୍ଗୁ ହୋଇଯିବ। ଏହାଦ୍ୱାରା ବିଶ୍ୱରେ ଏକ ନୂଆ ଶକ୍ତି ସଙ୍କଟ ସୃଷ୍ଟି ହେବା ସହ କଳକାରଖାନାରୁ ନେଇ ରୋଷେଇ ଘର ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହୋଇଯିବ।

Leave A Reply

Your email address will not be published.