ଉତ୍ପାଦନ ବୃଦ୍ଧି କରିବାକୁ ଲୁହା ଖଣିଲିଜ୍‌ଧାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

add-all

ଭୁବନେଶ୍ବର: ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଲୁହାପଥର ଉତ୍ପାଦନ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶିଳ୍ପପତିମାନଙ୍କୁ ପରାମର୍ଶ ଦେଇଛନ୍ତି।
ମଙ୍ଗଳବାର, ଲୋକସେବା ଭବନରେ ଖଣି ଲିଜ୍‌ଧାରୀ ଓ ଶିଳ୍ପପତି ମାନଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀମାଝି ଅଧ୍ୟକ୍ଷତା କରିଥିଲେ। ରାଜ୍ୟରେ ଶିଳ୍ପାୟନ ଓ ଦେଶରେ ଲୁହାପଥରର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଅଧିକ ପରିମାଣରେ ଲୁହାପଥର ଉତ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ଏଥି ସହିତ ଶିଳ୍ପପତି ମାନେ ସ୍ଥାନୀୟ ବାସିନ୍ଦାଙ୍କର ମୌଳିକ ଆବଶ୍ୟକତା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସେ କହିଥିଲେ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ।
ଉତ୍ପାଦନ ଓ ଡେସ୍‌ପ୍ୟାଚ୍ ପ୍ରତି ଗୁରୁତ୍ୱ ଦେଇ ଏମ୍‌ଡିପିଏ ଅନୁଯାୟୀ ସର୍ବନିମ୍ନ ବାଧ୍ୟତାମୂଳକ ସୀମାକୁ ଦୃଷ୍ଟି ରେ ରଖି ଆବଶ୍ୟକତା ଅନୁଯାୟୀ ଏହାକୁ ବୃଦ୍ଧି କରିବା ପାଇଁ ଆଲୋଚନା ହୋଇଥିଲା। ରାଜ୍ୟରେ ଖଣି ବହୁଳ ଜିଲ୍ଲା ଗୁଡିକରେ ଶିଳ୍ପ ସଂଖ୍ୟା ବହୁତ କମ ରହୁଛି। ତେଣୁ ସେସବୁ ଜିଲ୍ଲା ଗୁଡିକରେ ଶିଳ୍ପାନୁଷ୍ଠାନ ଗଢିବା ପାଇଁ ମୁଖ୍ୟମନ୍ତ୍ରୀ ଶିଳ୍ପପତି ମାନଙ୍କୁ ଆହ୍ୱାନ ଦେଇଥିଲେ।
ଶିଳ୍ପ ପ୍ରତିଷ୍ଠା ପାଇଁ ବାଧ୍ୟତାମୂଳକ ବନୀକରଣ (କ‌ମ୍ପ‌େନ୍‌ସେଟରୀ ଏଫରେଷ୍ଟସନ୍‌) କ୍ଷେତ୍ରରେ ବିଭିନ୍ନ ଜିଲ୍ଲାରେ ଅଧିକୃତ ଜମି ସମ୍ପର୍କରେ ସୂଚନା ପ୍ରଦାନ ପାଇଁ ଏକ ଡାଟାବେସ୍ ପ୍ରସ୍ତୁତ କରାଯାଉଛି, ଯାହା ଜରିଆରେ କେଉଁ ଜିଲ୍ଲାରେ କେତେ ଜମି ଉପଲବ୍ଧ ଅଛି ଖଣି ଲିଜ୍‌ଧାରୀ ଓ ଶିଳ୍ପପତିମାନେ ସେ ସମ୍ପର୍କରେ ଅବଗତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଖଣି ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୨୬-୨୭ ବର୍ଷ ପାଇଁ ବାର୍ଷିକ ନିଲାମ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି। ତଦନୁଯାୟୀ ଖଣିଜ ବ୍ଲକର ନିଲାମ ପ୍ରକ୍ରିୟା କରାଯିବ ବୋଲି ସୂଚନା ଦିଆଗଲା।
ଇଣ୍ଡିଆନ୍ ଷ୍ଟିଲ୍ ଆସୋସିଏସନର ଅଧ୍ୟକ୍ଷ ତଥା ସାଂସଦ ନବୀନ ଜିନ୍ଦଲ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ଓ ପ୍ରତିବଦ୍ଧତା ଭାବ ପାଇଁ ଧନ୍ୟବାଦ ଦେଇଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ବତ ମିଶ୍ର, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଟାଟା ଷ୍ଟିଲ୍‌ର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଟି ଭି ନରେନ୍ଦ୍ରନ, ଇଣ୍ଡିଆନ ଷ୍ଟିଲ୍ ଆସୋସିଏସନର ମହାସଚିବ ଆଲୋକ ସହାୟ, ଜେଏସ୍‌ଡବ୍ଲୁର ସଭାପତି ଅନୀଲ କୁମାର ସିଂ, ଏଏମ୍‌ଏନ୍‌ଏସ୍‌ ଇଣ୍ଢିଆର ନିର୍ଦ୍ଦେଶକ ଆଲୋକ କୁମାର ମେହେଟ୍ଟା, ଓଏମ୍‌ସିର ଅଧ୍ୟକ୍ଷ ଗିରୀଶ ଏସ୍‌ ଏନ୍, ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ସାମଲ ଏବଂ ଅନ୍ୟାନ୍ୟ ପ୍ରମୁଖ ଶିଳ୍ପ ପ୍ରତିନିଧି ମାନେ ଯୋଗଦେଇଥିଲେ।

Leave A Reply

Your email address will not be published.