
ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀରେ ବଢୁଛି ଯୁଦ୍ଧ ଆଶଙ୍କା । ଇରାନ ଉପରେ ଆମେରିକାର ନୌସେନା ଅବରୋଧ ବିଶ୍ୱ ରାଜନୀତିକୁ ଏକ ବିପଜ୍ଜନକ ମୋଡ଼କୁ ନେଇ ଆସିଛି । ବିଶେଷ କରି ଚୀନ୍ ଏହି ଅବରୋଧକୁ ଖୋଲାଖୋଲି ବିରୋଧ କରିବା ପରେ ଆମେରିକା ଓ ଚୀନ୍ ମଧ୍ୟରେ ସିଧାସଳଖ ସଂଘର୍ଷର ଆଶଙ୍କା ସୃଷ୍ଟି ହୋଇଛି । ଆମେରିକାର ପ୍ରତିବନ୍ଧକକୁ ଚୀନ ଚ୍ୟାଲେଞ୍ଜ କରିଛି। ଆମ ପାଇଁ ହର୍ମୁଜ ପ୍ରଣାଳୀ ସଦା ସର୍ବଦା ଉନ୍ମୁକ୍ତ ବୋଲି କହିଛନ୍ତି କହିଛି ବେଜିଂ। ଇସଲାମାବାଦ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆମେରିକା ତାର ନୌସେନାକୁ ହର୍ମୁଜ ପ୍ରଣାଳୀରେ ମୁତୟନ କରିଛି । ଏହାର ଲକ୍ଷ୍ୟ ଇରାନର ବାଣିଜ୍ୟିକ କାରବାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା । ମାତ୍ର ଚୀନ୍ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ।
ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଡୋଙ୍ଗ ଜୁନ୍ ଏକ କଠୋର ବୟାନ ଦେଇ କହିଛନ୍ତି, ‘ଇରାନ ସହିତ ଆମର ବାଣିଜ୍ୟିକ ସମ୍ପର୍କ ରହିଛି ଏବଂ କୌଣସି ତୃତୀୟ ପକ୍ଷ ଏଥିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ । ଚୀନ୍ ନିଜର ତେଲ ଟ୍ୟାଙ୍କର ଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଯୁଦ୍ଧ ଜାହାଜ ପଠାଇବାକୁ ସଙ୍କେତ ଦେଇଛି । ଅନ୍ୟପଟେ ହ୍ୱାଇଟ୍ ହାଉସ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯେଉଁ ଦେଶ ଇରାନକୁ ସାହାଯ୍ୟ କରିବ ସେମାନଙ୍କୁ କଠୋର ଆର୍ଥିକ ଦଣ୍ଡ ଭୋଗିବାକୁ ପଡ଼ିବ । ଆମେରିକାର ସେଣ୍ଟ୍ରାଲ କମାଣ୍ଡ ସୂଚନା ଦେଇଛି, ଇରାନ ଅଭିମୁଖେ ଯାଉଥିବା ଯେକୌଣସି ଜାହାଜକୁ ଯାଞ୍ଚ କରାଯିବ, ସେଥିରେ ଚୀନ୍ର ପତାକା ଥାଉ କିମ୍ବା ଅନ୍ୟ କାହାର ।
ଯଦି ଏହି ପଥରେ ସଂଘର୍ଷ ବଢ଼େ, ତେବେ ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ହେବାର ସମ୍ଭାବନା ରହିଛି । ଚୀନ୍ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହେଲେ ଏହା ବିଶ୍ୱ ଅର୍ଥନୀତିକୁ ଗଭୀର ଭାବେ ପ୍ରଭାବିତ କରିବ । ବର୍ତ୍ତମାନ ସମଗ୍ର ବିଶ୍ୱର ନଜର ସମୁଦ୍ର ମଝିରେ ଥିବା ସେହି ଟ୍ୟାଙ୍କର ଗୁଡ଼ିକ ଉପରେ ରହିଛି । ଆମେରିକା ଯଦି କୌଣସି ଚୀନା ଜାହାଜକୁ ଅଟକାଏ, ତେବେ ଏହା ଏକ ବଡ଼ ଧରଣର ଯୁଦ୍ଧର ଆରମ୍ଭ ହୋଇପାରେ ।