
ନୂଆଦିଲ୍ଲୀ : ଦିଲ୍ଲୀର ରୋହିଣୀ ଅଞ୍ଚଳରେ ହୃଦୟବିଦାରକ ଘଟଣା । ବୁଧବାର ଭୋର ସମୟରେ ଏକ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଚାଲିଯାଇଛି । ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଏବଂ ସେମାନଙ୍କର ମାତ୍ର ୩ ବର୍ଷର ଏକ ଶିଶୁ କନ୍ୟା ରହିଛନ୍ତି । ଦିଲ୍ଲୀ ଅଗ୍ନିଶମ ବାହିନୀର ସୂଚନା ଅନୁଯାୟୀ, ରାତି ପ୍ରାୟ ୧.୩୫ ମିନିଟ୍ ସମୟରେ ଅଞ୍ଚଳର କିଛି ଝୁମ୍ପୁଡ଼ିରେ ନିଆଁ ଲାଗିଯାଇଥିଲା ।
ବସ୍ତିରେ ବହୁ ପରିମାଣରେ ପ୍ଲାଷ୍ଟିକ୍ ଏବଂ ପଲିଥିନ୍ ବର୍ଜ୍ୟବସ୍ତୁ ଜମା ହୋଇ ରହିଥିବାରୁ ନିଆଁ ଖୁବ୍ କମ୍ ସମୟ ମଧ୍ୟରେ ଉଗ୍ର ରୂପ ଧାରଣ କରି ଚାରିଆଡ଼କୁ ବ୍ୟାପି ଯାଇଥିଲା । ଖବର ପାଇବା କ୍ଷଣି ଘଟଣାସ୍ଥଳରେ ୭ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲେ । ଅଗ୍ନିଶମ କର୍ମଚାରୀମାନେ ପ୍ରାୟ ୩ ଘଣ୍ଟା ଧରି କଠିନ ପରିଶ୍ରମ କରିବା ପରେ ଭୋର ପ୍ରାୟ ୪.୩୫ ବେଳକୁ ନିଆଁକୁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରିବାରେ ସଫଳ ହୋଇଥିଲେ । ଏହି ଅଗ୍ନିକାଣ୍ଡରେ ୮ ରୁ ୧୦ଟି ଝୁମ୍ପୁଡ଼ି ଘର ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି ।
ନିଆଁ ଲିଭିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ତଲାସୀ ଅଭିଯାନ ବେଳେ ପୋଡ଼ିଯାଇଥିବା ଝୁମ୍ପୁଡ଼ି ଭିତରୁ ୩ ଜଣଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ମୃତକମାନେ ହେଲେ ମହମ୍ମଦ ମୁସିବୁର (୨୭), ତାଙ୍କ ପତ୍ନୀ ମୁନାରା (୨୪) ଏବଂ ତାଙ୍କର ୩ ବର୍ଷର ଝିଅ ମାହି ମୋନା । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବର୍ତ୍ତମାନ ପୋଲିସ ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଖୋଜିବା ପାଇଁ ତଦନ୍ତ ଜାରି ରଖିଛି ।