
ନୂଆଦିଲ୍ଲୀ: ପୁଣି ତୁର୍କୀର ଏକ ସ୍କୁଲରେ ଭୟାବହ ଗୁଳିକାଣ୍ଡ । ସ୍କୁଲ ଛାତ୍ରର ଆଖିବୁଜା ଗୁଳିମାଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଗୁରୁତର । ମୃତକଙ୍କ ମଧ୍ୟରେ ତିନି ଛାତ୍ର ଓ ସ୍କୁଲର ଜଣେ ଶିକ୍ଷକ ସାମିଲ ଅଛନ୍ତି। ସ୍କୁଲରେ ଗୁଳିକାଣ୍ଡ ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ଗୁଳିରେ ହତ୍ୟାକାରୀ ଛାତ୍ରର ମୃତ୍ୟୁ ହୋଇଥିବା ଜଣାପଡିଛି । ଦକ୍ଷିଣ-ପୂର୍ବ ତୁର୍କୀର ଆଜେର ଚାଲିକ ମାଧ୍ୟମିକ ବିଦ୍ୟାଳୟରେ ପାଠପଢା ଚାଲିଥିବା ବେଳେ ଜଣେ ଛାତ୍ର ଅଚାନକ ଗୁଳି ଚାଳନା କରିଥିଲା । ଅଭିଯୁକ୍ତ ଛାତ୍ର ନିଜ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବାପାଙ୍କ ବନ୍ଧୁକ ବ୍ୟବହାର କରିଥିବା ଜଣାପଡିଛି।
ପୋଲିସ କାର୍ଯ୍ୟାନୁଷ୍ଠାନରେ ଆକ୍ରମଣକାରୀର ମଧ୍ୟ ମୃତ୍ୟୁ ଘଟିଥିବା କହିଛନ୍ତି ସେଠାକାର ଗଭର୍ଣ୍ଣର ମୁକେରମ ଅନଲୁୟର। ଦିନକ ପୂର୍ବରୁ ତୁର୍କୀର ଆଉ ଏକ ସ୍କୁଲରେ ଗୁଳିକାଣ୍ଡ ହୋଇଥିଲା । ମଙ୍ଗଳବାର ସାନଲିଉର୍ଫା ପ୍ରଦେଶର ଏକ ଭୋକେସନାଲ ସ୍କୁଲରେ ଜଣେ ପୂର୍ବତନ ଛାତ୍ର ଗୁଳି ଚଳାଇଥିଲେ । ସେହି ଗୁଳିକାଣ୍ଡରେ ୧୬ ଜଣ ଆହତ ହୋଇଥିଲେ। ଗତ ଦୁଇ ଦିନ ମଧ୍ୟରେ ଭିନ୍ନ ଭିନ୍ନ ସ୍କୁଲରେ ଗୁଳିକାଣ୍ଡ ଘଟଣାକୁ ନେଇ ତୁର୍କୀ ସରକାର ଦୁଃଖପ୍ରକାଶ କରିବା ସହ ସ୍କୁଲଗୁଡିକର ସୁରକ୍ଷା ବ୍ଯବସ୍ଥା କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।