
ପାକିସ୍ତାନ : ପାକିସ୍ତାନର ଖାଇବର ପଖତୁନଖ୍ବାର ପ୍ରଦେଶର ହରିପୁର ଜିଲ୍ଲାର ଏକ ଶିଳ୍ପାଞ୍ଚଳରେ ଗତକାଲି ଏକ ଭୟଙ୍କର ଗ୍ୟାସ୍ ପାଇପଲାଇନ୍ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଯେଉଁଥିରେ ୮ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ହରିପୁର ଜିଲ୍ଲାର ହତ୍ତର ଇଣ୍ଡଷ୍ଟ୍ରିଆଲ ଏଷ୍ଟେଟର ଗ୍ରାଣ୍ଡ ଟ୍ରଙ୍କ ରୋଡ ନିକଟରେ ଥିବା ଏକ କାରଖାନା ପାଖରେ ଘଟିଛି ।
ସୂଚନାନୁଯାୟୀ, ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ତୁରନ୍ତ ନିଆଁ ବ୍ୟାପିଯାଇଥିଲା । ଫଳରେ ଆଖପାଖ ଅଞ୍ଚଳରେ ଥିବା ଘରଗୁଡିକର ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହେବା ସହିତ ଅନେକ ଲୋକ ଆହତ ହୋଇଥିବା ପାକିସ୍ତାନର ଜରୁରୀକାଳୀନ ସେବା ‘ରେସ୍କ୍ୟୁ ୧୧୨୨’ର ଅଧିକାରୀମାନେ କହିଛନ୍ତି । ଏହି ଦୁର୍ଘଟଣାରୁ ୪ ଜଣ ମହିଳା, ୬ ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ବୋଲି ଜଣାପଡିଛି । ଏବେ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଅନ୍ୟପଟେ ହରିପୁର ଡେପୁଟି କମିଶନର ୱାସିମ ଅହମ୍ମଦ କହିଛନ୍ତି ଯେ, ଶ୍ବାସରୁଦ୍ଧ ହୋଇ ଅଧିକାଂଶ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏଥିସହ ଆହତଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲକୁ ପଠାଯାଇଥିବାବେଳେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗ୍ୟାସ୍ ପାଇପଲାଇନ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସୁଦ୍ଧା ଜଣାପଡିନାହିଁ ।
