ଗ୍ରୀଷ୍ମ ଋତୁରେ ପିକ୍‌ ଆୱାର୍‌ ସମୟରେ ଜଳବିଦ୍ୟୁତ୍‌ ଉତ୍ପାଦନ ସର୍ବାଧିକ କରିବାକୁ ଗୁରୁତ୍ବ

add-all

ଭୁବନେଶ୍ବର: ଆଗାମୀ ଗ୍ରୀଷ୍ମ ମାସଗୁଡ଼ିକରେ ପିକ୍ ଆଓ୍ବାର ସମୟରେ ରାଜ୍ୟର ହାଇଡ୍ରୋ ପାଓ୍ବାର ଜେନେରେସନ୍ ସର୍ବାଧିକ କରିବା ପାଇଁ ଓଡ଼ିଶା ଜଳବିଦ୍ୟୁତ୍‌ ନିଗମ୍‌ (ଓଏଚ୍‌ପିସି) ସହିତ ଆଲୋଚନା କରାଯାଇଛି ବୋଲି ଶୁକ୍ରବାର ହୋଇଥିବା ଶକ୍ତି ବିଭାଗର ସମୀକ୍ଷା ବୈଠକରୁ ଜଣାଯାଇଛି। 
ବୈଠକରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ଏବଂ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଧ୍ୟକ୍ଷତା କରିଥିଲେ।  ଗ୍ରୀଷ୍ମ ଋତୁରେ ବିଦ୍ୟୁତ ସେବା ଯେପରି ସ୍ବାଭାବିକ ରହେ ଓ ଏଥିରେ କୌଣସି ପ୍ରକାରର ବ୍ୟାଘାତ ସୃଷ୍ଟି ନହୁଏ, ତାହା ସୁନିଶ୍ଚିତ କରିବା ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  
ଗ୍ରୀଷ୍ମ ଋତୁରେ ପିକ୍ ଡିମାଣ୍ଡକୁ ଆଖିରେ ରଖି ଚାହିଦା ପୂରଣ କରିବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ କରାଯାଇଛି। ଏପ୍ରିଲ ମାସ ପାଇଁ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ଚାହିଦା ୬୦୮୭ ମେଗାୱାଟ ରହିଛି, ଯାହାକୁ ଅତି ସଫଳତାର ସହ ପୂରଣ କରାଯାଉଛି। ମେ ମାସରେ ସର୍ବାଧିକ ଚାହିଦା ୬୨୦୦ ମେଗାୱାଟ ଏବଂ ଜୁନ୍ ମାସରେ ୬୧୦୦ ମେଗାୱାଟ ହେବା ନେଇ ଆଶା କରାଯାଉଛି। ଗତ ବର୍ଷ ତୁଳନାରେ ଚଳିତ ଏପ୍ରିଲରେ ବିଦ୍ୟୁତ ଚାହିଦାରେ ୨ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। 
ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକ ସହ ବିଭାଗ ପକ୍ଷରୁ ସମନ୍ଵୟ ରକ୍ଷା କରାଯାଇଛି। ଏହାସହ ପାଓ୍ବାର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା କରାଯାଇଛି। ୫୦ରୁ ୧୦୦ ମେଗାୱାଟ ବିଦ୍ୟୁତ କ୍ରୟ ପାଇଁ ଆର୍‌ଏସ୍‌ପି ସହିତ ଆଲୋଚନା ଜାରି ରହିଛି। ଏହାସହ ରାଜ୍ୟର ଚାହିଦା ପୂରଣ କରିବା ପାଇଁ ଆବଶ୍ୟକତା ଅନୁଯାୟୀ ପାୱାର ଏକ୍ସଚେଞ୍ଜରୁ ବିଦ୍ୟୁତ କ୍ରୟ ବ୍ୟବସ୍ଥା କରାଯାଇଛି।

ଗ୍ରାହକ ସେବା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। କଲ୍ ସେଣ୍ଟରର କ୍ଷମତା ଦୈନିକ ୧୦୦ ରୁ ୧୫୦ ଲଗଇନ୍‌କୁ ବୃଦ୍ଧି କରାଯାଇଛି। ଗ୍ରାହକମାନେ ଯେପରି ବିଦ୍ୟୁତ ସେବା ବ୍ୟାଘାତ ସମ୍ବନ୍ଧୀୟ ଲାଇଭ୍ ସୂଚନା ତୁରନ୍ତ ପାଇପାରିବେ, ସେଥିପାଇଁ ମିସଡ୍-କଲ୍ ଏବଂ ସିଙ୍ଗଲ୍-କ୍ଲିକ୍ ସୁବିଧା ଆରମ୍ଭ କରାଯାଇଛି। ଆଇଭିଆର୍‌ଏସ୍‌, ୱେବସାଇଟ୍, ଆପ୍ ଏବଂ ସ୍ୱୟଂ ସେବା ମାଧ୍ୟମରେ ଅନଲାଇନ୍ ଅଭିଯୋଗ ପଞ୍ଜୀକରଣକୁ ସହଜ କରାଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ, ଏସ୍‌ଏମ୍‌ଏସ୍‌, ହ୍ୱାଟ୍ସଆପ୍ ଏବଂ ସ୍ଥାନୀୟ ଘୋଷଣା ମାଧ୍ୟମରେ ବିଦ୍ୟୁତ କାଟ ସମ୍ପର୍କରେ ଆଗୁଆ ସୂଚନା ଦିଆଯାଉଛି ବୋଲି ଅଧିକାରୀ ଓ ଯୋଗାଣ କମ୍ପାନୀର କର୍ମକର୍ତ୍ତାମାନେ ସୂଚିତ କରିଥିଲେ।

ଏଥିସହିତ ଏହି ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ଘରୋଇ ଗ୍ରାହକଙ୍କ ବିଦ୍ୟୁତ ବିଲ୍ ବକେୟା ଥିଲେ ମଧ୍ୟ ସଂଯୋଗ ବିଛିନ୍ନ ନକରିବାକୁ ବିଭାଗକୁ ପୁଣିଥରେ କହିଛନ୍ତି। ସମୀକ୍ଷା ବୈଠକରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ, ସିଏମଡି ଓପିଟିସିଏଲ ଭାସ୍କର ଜ୍ୟୋତି ଶର୍ମା, ଏମଡି ଗ୍ରୀଡ଼କୋ ସତ୍ୟପ୍ରିୟ ରଥ, ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ, ଡ଼ିସକମ୍ ର ସିଇଓ, ଓଏଚପିସି, ଗ୍ରୀଡ଼କୋ, ଓପିଟିସିଏଲର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

nis-ad
Leave A Reply

Your email address will not be published.