ନୌସେନା ପ୍ରଶିକ୍ଷଣ କେନ୍ଦ୍ର ଚିଲିକାରୁ ଅଗ୍ନିବୀର ପ୍ରଶିକ୍ଷାର୍ଥୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

add-all

ବାଣପୁର: ଭାରତୀୟ ନୌସେନା ପ୍ରଶିକ୍ଷଣ କେନ୍ଦ୍ର ଚିଲିକାରୁ ଜଣେ ଅଗ୍ନିବୀର ପ୍ରଶିକ୍ଷାର୍ଥୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଉଛି। ଏନେଇ ପରିବାର ପକ୍ଷରୁ ଗତକାଲି ବାଲୁଗାଁ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ବାଲୁଗାଁ ପୁଲିସ।
ମୃତ ପ୍ରଶିକ୍ଷାର୍ଥୀ ଜଣକ ହେଉଛନ୍ତି ବିହାର ରାଜ୍ୟର ଭୋଜପୁର ଜିଲ୍ଲା, ସାରିପୁର ଗାଁର ବିକାଶ କୁମାର। ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ମୃତ ବିକାଶଙ୍କ ବାପା ପିଣ୍ଟୁ ସାଏ। ବିକାଶ ଦୁଇମାସ ତଳେ ଭାରତୀୟ ନୌସେନା ପ୍ରଶିକ୍ଷଣ କେନ୍ଦ୍ର ଚିଲିକାରେ ଅଗ୍ନିବୀର ପ୍ରଶିକ୍ଷାତ୍ରୀ ଭାବରେ ଯୋଗ ଦେଇଥିଲେ। ଗତ ୧୮ ତାରିଖ ରାତିରେ ପ୍ରଶିକ୍ଷଣ କେନ୍ଦ୍ର ଚିଲିକାରେ ଥିବା ଏକ ଜିମରେ ବେକରେ ରଶି ଲଗାଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ସେ ଆତ୍ମହତ୍ୟା କରିବା ପିଲା ନୁହେଁ। ତାକୁ ମାରି ଦିଆଯାଇଛି। ତେଣୁ ତାର ମୃତ୍ୟୁ କେମିତି ହୋଇଛି ତାର ଉପଯୁକ୍ତ ତଦନ୍ତ କରାଯାଉ ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ବାପା। ବିକାଶ ନିୟମିତ ଭାବରେ ନିଜ ମାଙ୍କ ସହ କଥା ହେଉଥିଲେ। ସେ କାହିଁକି ଏଭଳି ପଦକ୍ଷେପ ନେଲା ଆମେ ଜାଣିନାହୁଁ। ଗତକାଲି ସକାଳୁ ନୌସେନା ପ୍ରଶିକ୍ଷଣ କେନ୍ଦ୍ର ପକ୍ଷରୁ ଆମକୁ ଖବର ମିଳିଲା ଯେ ତୁମ ପୁଅର ଗତ ୧୮ ତାରିଖରେ ଅସ୍ୱାଭାବିକ ଭାବରେ ମୃତ୍ୟୁ ହୋଇଛି ବୋଲି। ଗତକାଲି ବାପା ପିଣ୍ଟୁ ସାଏ ଆସି ପ୍ରଶିକ୍ଷଣ କେନ୍ଦ୍ର ଚିଲିକାରେ ଥିବା ମୃତଦେହକୁ ଚି଼ହ୍ନଟ କରିଥିଲେ। ସେ ଆତ୍ମହତ୍ୟା କରିନାହିଁ ବୋଲି ଦୃଢୋକ୍ତି ଭାବରେ କହିଛନ୍ତି ବିକାଶଙ୍କ ବାପା। ଏନେଇ ବାଲୁଗାଁ ଥାନାରେ ୧୫୨ / ୨୬ ରେ ମାମଲା ରୁଜୁ ହୋଇଛି।

ଅନ୍ୟପଟେ ଗତ ୮ ତାରିଖରେ ଉତ୍ତର ପ୍ରଦେଶ, ମେରଟ ଜିଲ୍ଲାର କାର୍ତ୍ତିକ ଯାଦବ ପ୍ରଶିକ୍ଷଣ କେନ୍ଦ୍ରରେ ଆତ୍ମ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପ୍ରଶିକ୍ଷଣ କେନ୍ଦ୍ର ଚିଲିକାରେ ଏଭଳି ଅସ୍ୱାଭାବିକ ମୃତ୍ୟୁର କାରଣ କଣ ହୋଇପାରେ ତାର ତଦନ୍ତ କରୁଛି ବାଲୁଗାଁ ପୁଲିସ। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ କରିବା ପରେ ବାଣପୁର ଡାକ୍ତରଖାନାରେ ବ୍ୟବଚ୍ଛେଦ କରି ପରିବାରକୁ ମୃତଦେହ ହସ୍ତାନ୍ତର କରିଛି ପୁଲିସ।

ad-week
Leave A Reply

Your email address will not be published.