ବଢ଼ିଲା ଅସ୍ତ୍ରବିରତି ଅବଧି, ବିମାନ ଆକ୍ରମଣ ଓ ମିସାଇଲ ମାଡ଼ ବନ୍ଦ

add-all

ନୂଆଦିଲ୍ଲୀ: ବଢ଼ିଲା ଅସ୍ତ୍ର ବିରତି ସମୟ ସୀମା । ଅନିର୍ଦ୍ଦିଷ୍ଟ କାଳ ପାଇଁ ଅସ୍ତ୍ରବିରତି ସମୟ ସୀମା ବଢ଼ାଇଲେ ଡୋନାଲ୍ଡ ଟ୍ରମ୍ପ । ଇରାନ ସହିତ ଚାଲିଥିବା ଅସ୍ତ୍ରବିରତି ଅବଧିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବଢ଼ାଇଛନ୍ତି । ଆଜି ସନ୍ଧ୍ୟାରେ ଶେଷ ହେବାର ଥିଲା ୨ ସପ୍ତାହର ଅସ୍ତ୍ର ବିରତି । ଏହାଦ୍ୱାରା ବର୍ତ୍ତମାନ ପାଇଁ ବିମାନ ଆକ୍ରମଣ ଓ ମିସାଇଲ ମାଡ଼ ବନ୍ଦ ରହିବ । କିନ୍ତୁ ସାମୁଦ୍ରିକ ନାକାବନ୍ଦୀ ଜାରି ରହିବ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ଫିଲ୍ଡ ମାର୍ଶଲ ଅସୀମ ମୁନୀରଙ୍କ ଅନୁରୋଧ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଫଳରେ ଇରାନ ନେତାମାନେ ଏହି ବିବାଦର ସମାଧାନ ପାଇଁ ଏକ “ସମ୍ମିଳିତ ପ୍ରସ୍ତାବ” ଉପସ୍ଥାପନ କରିବାକୁ ସମୟ ପାଇବେ । ବୋମା ମାଡ଼ ବନ୍ଦ ହୋଇଥିଲେ ମଧ୍ୟ ଇରାନ ବନ୍ଦରଗୁଡ଼ିକ ଉପରେ ନୌସେନା ଅବରୋଧ ଜାରି ରହିଛି। ଆଲୋଚନା ଶେଷ ନହେବା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ବୋଲି ଆମେରିକା ସ୍ପଷ୍ଟ କରିଛି ।

ସେହିପରି ଇସଲାମାବାଦରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନାକୁ ସ୍ଥଗିତ ରଖାଯାଇଛି। ସ୍ଥଗିତ ରହିଲା ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ପାକିସ୍ତାନ ଗ ସ୍ତ। ଟ୍ରମ୍ପ କହିଛନ୍ତି, ଯେ ଇରାନ ସରକାର ଅନ୍ତରୀଣ ଭାବେ ବିଭାଜିତ । ଯେଉଁଥିପାଇଁ ସେମାନେ ଏକ ସ୍ପଷ୍ଟ ପ୍ରସ୍ତାବ ଦେଇପାରୁ ନାହାନ୍ତି । ଯଦି କୌଣସି ନିଷ୍ପତ୍ତି ନିଆନଯାଏ, ତେବେ ଆମେରିକା ପୁଣି ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛି । ଇରାନର ବରିଷ୍ଠ ଅଧିକାରୀମାନେ ଏହି ଅବଧି ବୃଦ୍ଧିକୁ ଏକ “ଚାଲାକି” ବୋଲି କହିଛନ୍ତି । ସେମାନଙ୍କ ଅନୁସାରେ, ଅବରୋଧ ଜାରି ରଖିବା ଏକ “ଯୁଦ୍ଧ ସଦୃଶ କାର୍ଯ୍ୟ” । ସମୁଦ୍ର ପଥରେ ଏବେ ମଧ୍ୟ ଉତ୍ତେଜନା ଲାଗି ରହିଛି । ଆମେରିକା ନୌସେନା ଇରାନର ଜାହାଜଗୁଡ଼ିକୁ ଅଟକାଇବା ଜାରି ରଖିଛି । ଅସ୍ତ୍ରବିରତି ଘୋଷଣା ପରେ ଅଶୋଧିତ ତୈଳ ଦରରେ ସାମାନ୍ୟ ହ୍ରାସ ଘଟିଥିଲେ ମଧ୍ୟ ଏହା ଏବେ ବି ଅସ୍ଥିର ରହିଛି ।

nis-ad
Leave A Reply

Your email address will not be published.