ଆଇଆରଏସ ଅଧିକାରୀଙ୍କ ଝିଅକୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ହତ୍ୟାକାରୀ ଘରୋଇ ସହାୟକକୁ ଗିରଫ କଲା ପୋଲିସ

add-all

ନୂଆଦିଲ୍ଲୀ : ଦିଲ୍ଲୀର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଥିବା ଅମର କଲୋନୀରେ ଆଇଆରଏସ ଅଧିକାରୀଙ୍କ ଝିଅକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନୂଆ ମୋଡ଼ । ପୋଲିସର ସନ୍ଦେହ ସତ ହୋଇଛି । ଘରୋଇ ସହାୟକ ହିଁ ସାଜିଲା ହତ୍ୟାକାରୀ । ଏହି ମାମଲାରେ ପୋଲିସ ମାତ୍ର କିଛି ଘଣ୍ଟା ମଧ୍ୟରେ ୧୯ ବର୍ଷୀୟ ଅଭିଯୁକ୍ତ ରାହୁଲ ମୀନାକୁ ଦ୍ୱାରକାର ଏକ ହୋଟେଲରୁ ଗିରଫ କରିଛି ।

ଏପ୍ରିଲ ୨୨ ତାରିଖ ସକାଳ ୬:୪୦ ସମୟରେ ଅଭିଯୁକ୍ତ ରାହୁଲ ଏକ ନକଲି ଚାବି ସାହାଯ୍ୟରେ ଘରେ ପଶିଥିଲା । ସେହି ସମୟରେ ଝିଅଟିର ବାପା-ମା ଜିମକୁ ଯାଇଥିଲେ । ଆଇଆଇଟି ଗ୍ରାଜୁଏଟ୍ ତଥା ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିବା ଝିଅଟିକୁ ରାହୁଲ ପ୍ରଥମେ ଦୁଷ୍କର୍ମ କରିଥିଲା ଏବଂ ପରେ ମୋବାଇଲ ଚାର୍ଜର ତାର ସାହାଯ୍ୟରେ ଗଳା ଚିପି ହତ୍ୟା କରିଥିଲା ।

ସିସିଟିଭି ଫୁଟେଜରେ ରାହୁଲ ଘରୁ ବାହାରୁଥିବା ଦେଖାଯାଇଛି । ସେ ତିନିଟି ମୋବାଇଲ୍ ଫୋନ୍ ୧୩,୦୦୦ ଟଙ୍କାରେ ବିକ୍ରି କରି ଫେରାର୍ ହେବାକୁ ଚେଷ୍ଟା କରୁଥିଲା । ରାହୁଲ ରାଜସ୍ଥାନର ଅଲୱର ବାସିନ୍ଦା । ସେ ପ୍ରାୟ ୮ ମାସ ଧରି ସେହି ଅଧିକାରୀଙ୍କ ଘରେ ଘରୋଇ ସହାୟକ ଭାବେ କାମ କରୁଥିଲା । କିନ୍ତୁ ଦେଢ଼ ମାସ ତଳେ ଟଙ୍କା ହେରଫେର ଓ ଚୋରି ଅଭିଯୋଗରେ ତାକୁ କାମରୁ ବାହାର କରି ଦିଆଯାଇଥିଲା । ଏହି କାରଣରୁ ପ୍ରତିଶୋଧ ନେବା ପାଇଁ ସେ ଏଭଳି କାଣ୍ଡ ଘଟାଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

ଏହି ହାଇ-ପ୍ରୋଫାଇଲ୍ ସୋସାଇଟିରେ ଏତେ ସୁରକ୍ଷା ସତ୍ତ୍ୱେ ଅଭିଯୁକ୍ତ କିଭଳି ଭିତରକୁ ପଶିଲା, ତାହା ଏବେ ଚିନ୍ତାର ବିଷୟ ପାଲଟିଛି । ଅଭିଯୁକ୍ତ ବିରୋଧରେ ଦୁଷ୍କର୍ମ, ହତ୍ୟା ଏବଂ ଚୋରି ମାମଲା ରୁଜୁ ହୋଇଛି । ପୋଲିସ ଏହି ଘଟଣାର ଦ୍ରୁତ ତଦନ୍ତ କରୁଛି ଏବଂ ଖୁବଶୀଘ୍ର ତାକୁ କୋର୍ଟରେ ହାଜର କରାଯିବ ।

nis-ad
Leave A Reply

Your email address will not be published.