ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ : ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ : ଟ୍ରମ୍ପଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୱାଶିଂଟନ୍ ଡିସିରେ ଘଟିଥିବା ଘଟଣାରେ ଡୋନାଲ୍ଡ ଟ୍ରମ୍ପ, ତାଙ୍କ ପତ୍ନୀ ଏବଂ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ସୁରକ୍ଷିତ ଥିବା ଜାଣି ସେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସେମାନଙ୍କ ସୁସ୍ଥତା ଏବଂ ସୁରକ୍ଷା ପାଇଁ ଶୁଭକାମନା ଜଣାଇବା ସହ ଏକ ବାର୍ତ୍ତାରେ କହିଛନ୍ତି, ଯେକୌଣସି ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ଏପରି ଘଟଣାର କଡ଼ା ନିନ୍ଦା କରାଯିବା ଉଚିତ ।
ମିଳିଥିବା ସୂଚନା ଅନୁଯାୟୀ, ୱାଶିଂଟନ ହିଲଟନ ହୋଟେଲରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅନେକ ବରିଷ୍ଠ ଆମେରିକୀୟ ଅଧିକାରୀଙ୍କ ଉପସ୍ଥିତିରେ ଆୟୋଜିତ ହ୍ୱାଇଟ୍ ହାଉସ୍ କରେସପେଣ୍ଡେଣ୍ଟ ରାତ୍ରୀଭୋଜନ ସମୟରେ ଗୁଳିକାଣ୍ଡ ଘଟିଥିଲା । ଗୁଳିକାଣ୍ଡର ଶବ୍ଦ ଶୁଣିବା ମାତ୍ରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମେତ ବରିଷ୍ଠ ଆମେରିକୀୟ ଅଧିକାରୀମାନଙ୍କୁ ରାତ୍ରୀଭୋଜନରୁ ବାହାରକୁ ସ୍ଥାନାନ୍ତର କରାଯାଇଥିଲା । ଗୁଳି ଫୁଟିବା ଶବ୍ଦ ଶୁଣି ହିଲଟନ୍ ହୋଟେଲର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ସୁରକ୍ଷା କର୍ମଚାରୀମାନେ ଭୋଜି ହଲ୍ ଭିତରକୁ ଦୌଡ଼ି ଆସିଲେ । ସୁରକ୍ଷା ଅଧିକାରୀମାନେ ଲୋକଙ୍କୁ ନୀରବ ରହିବାକୁ ଅନୁରୋଧ କରୁଥିବା ସମୟରେ ଅତିଥିମାନେ ଟେବୁଲ ତଳେ ଲୁଚି ରହିଥିଲେ ।
କାର୍ଯ୍ୟକ୍ରମରେ ଉପସ୍ଥିତ ଅନେକ ଲୋକ କହିଛନ୍ତି ଯେ, ସେମାନେ ପାଞ୍ଚରୁ ଆଠଟି ଗୁଳି ଫୁଟିବା ଶବ୍ଦ ଶୁଣିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାଷଣ ଅପେକ୍ଷା କରିଥିବା ଶହ ଶହ ସାମ୍ବାଦିକ, ଏବଂ ରାଜନେତାଙ୍କ ସହିତ ପରିପୂର୍ଣ୍ଣ ହଲ୍ କୁ ତୁରନ୍ତ ଖାଲି କରାଯାଇଥିଲା । ଆଖପାଖ ଅଞ୍ଚଳରେ ସୁରକ୍ଷା ଅତ୍ୟନ୍ତ କଡ଼ା ରହିଥିଲା । ସୁରକ୍ଷା ଏଜେନ୍ସିଗୁଡ଼ିକ ଶୀଘ୍ର ହୋଟେଲ ଖାଲି କରି ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲେ । ରାଷ୍ଟ୍ରପତି ଟ୍ରମ୍ପ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ।
