
ନୂଆଦିଲ୍ଲୀ: ରବିବାର, ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କଳିଙ୍ଗ ଭାରତୀ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି ମହାସମାରୋହ, ଆଗାମୀ ଜୁନ ୧୩ ଓ ୧୪ ତାରିଖ ଦୁଇଦିନ ଧରି ସନ୍ଧ୍ୟା ୫ ରୁ ରାତି ୧୦ ଟା ପର୍ଯ୍ୟନ୍ତ ଗୁରୁଗ୍ରାମର ଚାରି ନମ୍ବର ସେକ୍ଟର ସ୍ଥିତ ହୁଡ଼ା କମ୍ୟୁନିଟି ସେଣ୍ଟରଠାରେ ଅନୁଷ୍ଠିତ ହେବ। ପ୍ରାୟ ପନ୍ଦର ହଜାର ପ୍ରବାସୀ ଓଡ଼ିଆ ଓ ଓଡ଼ିଶାପ୍ରେମୀ ଜନସାଧାରଣଙ୍କର ଏହି ସମାବେଶରେ ସମାଗମ ଘଟିବ ବୋଲି ଆୟୋଜକ ଯୋଜନା କରିଛନ୍ତି। ଏହି ମହୋତ୍ସବରେ ଅତିଥି ଭାବରେ ମନ୍ତ୍ରୀ, ବରିଷ୍ଠ ପ୍ରଶାସକ ତଥା ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଆୟୋଜକ କଳିଙ୍ଗ ଭାରତୀ ଫାଉଣ୍ଡେସନର ପ୍ରତିଷ୍ଠାତା ଜାତୀୟ ସଭାପତି ଓ ସମାଜସେବୀ ଇଂ ଅକ୍ଷୟ କୁମାର ସାମଲ କହିଛନ୍ତି, ଏହି ମହୋତ୍ସବରେ ଓଡ଼ିଶାର କଳା, ସଂସ୍କୃତି, ଇତିହାସ, ପରମ୍ପରା, ପରିପାଟ୍ଟୀ ଏବଂ ବ୍ୟଞ୍ଜନର ଅପୂର୍ବ ସମାହାର ଘଟିବ । ସମଗ୍ର ଉତ୍ତର ଭାରତ ବିଶେଷ କରି ହରିୟାଣାର ରଙ୍ଗାରଙ୍ଗ ସାଂସ୍କୃତିକ ବୈଭବକୁ ଓଡ଼ିଶା ମାଟିର ମହାନତା ଓ ମହାନୀୟତା ସହିତ ସଂଯୁକ୍ତ କରିବା ଏହି ଉତ୍ସବର ଅସଲ ଉଦ୍ଦେଶ୍ୟ।୨୦୪୭ ମସିହାରେ, ବିକଶିତ ଭାରତର ଗଠନ କରିବାର ମହାନ ଲକ୍ଷ୍ୟକୁ ହାସଲ କରିବା ଅଭିପ୍ରାୟରେ ଅବିଳମ୍ବେ ବିକଶିତ ଓଡ଼ିଶା ଓ ବିକଶିତ ହରିୟାଣା ଗଢି ତୋଳିବା ପାଇଁ ଏହି ମହୋତ୍ସବ ଉତ୍ସର୍ଗୀକୃତ ।
ଏହି ଦୁଇ ଦିନିଆ ସାଂସ୍କୃତିକ ମହାକୁମ୍ଭର ମୁଖ୍ୟ ଆକର୍ଷଣ ହେବ ଜାତୀୟ ଲୋକନୃତ୍ୟ ମହୋତ୍ସବ। ମଞ୍ଚକଳା ଉତ୍ସବ ନାମରେ ନାମିତ, ଏହି କାର୍ଯ୍ୟକ୍ରମ ଅବସରରେ ଓଡ଼ିଶା, ହରିୟାଣା, ରାଜସ୍ଥାନ, ପଶ୍ଚିମବଙ୍ଗ, ପଞ୍ଜାବ ଏବଂ ଉତ୍ତର ପ୍ରଦେଶରୁ ଆସିବାକୁ ଥବା ପ୍ରାୟ ୨୫୦ ରୁ ଉର୍ଦ୍ଧ୍ଵ କଳାକାର ସେମାନଙ୍କର ପାରଦର୍ଶି ପ୍ରତିଭା ପ୍ରଦର୍ଶନ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିବେ। ଏହା ସହିତ ବହୁ ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସ୍ଥାନୀୟ ଓଡ଼ିଶୀ ନୃତ୍ୟଶିଳ୍ପୀମାନଙ୍କର ଜାଦୁଗରୀ ନୃତ୍ୟର ଝଲକ ମଧ୍ଯ ଏଠାରେ ଦେଖିବାକୁ ମିଳିବ।
