ୟୁଏଇ ଉପରେ ଇରାନର ଭୟାବହ ମିସାଇଲ୍ ଓ ଡ୍ରୋନ୍ ମାଡ଼, ୩ ଭାରତୀୟ ଆହତ

add-all

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର କଳାବାଦଲ । ୟୁଏଇ ଉପରେ ଇରାନର ଭୟାବହ ମିସାଇଲ୍ ଓ ଡ୍ରୋନ୍ ମାଡ଼। ମଧ୍ୟପ୍ରାଚ୍ୟରେ ସଙ୍କଟ ଘନେଇବାରେ ଲାଗିଛି । UAE ଉପରେ ଇରାନର ଆକସ୍ମିକ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ପରେ ସମଗ୍ର ଅଞ୍ଚଳରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଆକ୍ରମଣ ଗତ ଏପ୍ରିଲ ୮ରେ ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ଅସ୍ଥାୟୀ ଯୁଦ୍ଧବିରତି ଚୁକ୍ତିକୁ ଏକପ୍ରକାର ଧୂଳିସାତ୍ କରିଦେଇଛି । ୟୁଏଇ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଇରାନ ପକ୍ଷରୁ ୧୨ଟି ବ୍ୟାଲିଷ୍ଟିକ୍ ମିସାଇଲ୍, ୩ଟି କ୍ରୁଜ୍ ମିସାଇଲ୍ ଏବଂ ୪ଟି ଆତ୍ମଘାତୀ ଡ୍ରୋନ୍ ସାହାଯ୍ୟରେ ବଡ଼ଧରଣର ଆକ୍ରମଣ କରାଯାଇଥିଲା। ୟୁଏଇର ଅତ୍ୟାଧୁନିକ ଏୟାର୍ ଡିଫେନ୍ସ ସିଷ୍ଟମ୍ ଅଧିକାଂଶ କ୍ଷେପଣାସ୍ତ୍ରକୁ ଆକାଶରେ ଧ୍ୱଂସ କରିଦେଇଛି । ଡ୍ରୋନ୍ ମାଡ଼ରେ ଫୁଜେରାହ୍ ସହରର ଏକ ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ୍ ଶିଳ୍ପାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଦୁର୍ଭାଗ୍ୟଜନକ ଘଟଣାରେ ୩ ଜଣ ଭାରତୀୟ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି ।

ସେମାନଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆକ୍ରମଣ ପରେ ଦୁବାଇ ଏବଂ ଅବୁଧାବିରେ ସାଇରନ୍ ବାଜିବା ସହ ମୋବାଇଲ୍ ଆଲର୍ଟ ଜାରି କରାଯାଇଥିଲା । ନାଗରିକମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷାନୁଷ୍ଠାନଗୁଡ଼ିକୁ ଅନଲାଇନ୍ ମୋଡ୍ କୁ ସ୍ଥାନାନ୍ତ କରାଯାଇଥିବା ବେଳେ ଅନେକ ଆନ୍ତର୍ଜାତୀୟ ବିମାନ ଉଡ଼ାଣକୁ ବାତିଲ ବା ସ୍ଥଗିତ ରଖାଯାଇଛି। ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳକୁ ସ୍ୱାଭାବିକ କରିବା ପାଇଁ ଆମେରିକା ଦ୍ୱାରା ଆରମ୍ଭ ହୋଇଥିବା ‘ପ୍ରୋଜେକ୍ଟ ଫ୍ରିଡମ୍’ ଏହି ସଂଘର୍ଷର ମୁଖ୍ୟ କାରଣ ବୋଲି କୁହାଯାଉଛି। ନିକଟରେ ଆମେରିକୀୟ ସେନା ଇରାନର କିଛି କ୍ଷୁଦ୍ର ନୌକାକୁ ଧ୍ୱଂସ କରିଥିଲା, ଯାହା ବାଣିଜ୍ୟିକ ଜାହାଜଗୁଡ଼ିକୁ ଟାର୍ଗେଟ୍ କରୁଥିଲେ । ଏହାର ପ୍ରତିଶୋଧ ସ୍ୱରୂପ ଇରାନ ଏହି ଆକ୍ରମଣ କରିଥାଇପାରେ ବୋଲି ସନ୍ଦେହ କରାଯାଉଛି। ଆକ୍ରମଣ ପରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦରରେ ହଠାତ୍ ବୃଦ୍ଧି ପରିଲକ୍ଷିତ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ନିନ୍ଦା କରିବା ସହ ଇରାନ ବିରୋଧରେ କଠୋର ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି। ସାଉଦି ଆରବ ସମେତ ଅନ୍ୟ ଗଲ୍ଫ ଦେଶଗୁଡ଼ିକ ଏହି ଘଟଣାରେ ୟୁଏଇ ସହ ଛିଡ଼ା ହୋଇଛନ୍ତି । ପରିସ୍ଥିତି ଏବେ ବି ଗମ୍ଭୀର ରହିଛି । ଯଦିଓ କୂଟନୈତିକ ସ୍ତରରେ ଆଲୋଚନା ପାଇଁ ପ୍ରୟାସ ଚାଲିଛି, ତଥାପି ହର୍ମୁଜ୍ ପ୍ରଣାଳୀରେ ସମରସଜ୍ଜା ଯୋଗୁଁ ବିଶ୍ୱ ଅର୍ଥନୀତି ଏବଂ ସୁରକ୍ଷା ଉପରେ ବିପଦ ଘନେଇବାରେ ଲାଗିଛି ।

ad-week
Leave A Reply

Your email address will not be published.