ନରେନ୍ଦ୍ର ମୋଦୀଙ୍କୁ ହରାଇବ କଂଗ୍ରେସ: ରାହୁଲ ଗାନ୍ଧୀ

add-all

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର କ୍ରମବର୍ଦ୍ଧିତ ଶକ୍ତି ତଥା ଗୋଟିଏ ପରେ ଗୋଟିଏ ରାଜ୍ୟରେ କ୍ଷମତା ହାସଲ କରିବା ପରେ ବିରୋଧୀ ଦଳଗୁଡ଼ିକ ଅତ୍ୟନ୍ତ ଦୁର୍ବଳ ପରି ଜଣାପଡ଼ୁଛନ୍ତି। ବିଶେଷ କରି ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଓ ତାମିଲନାଡ଼ୁରେ ଡିଏମ୍‌କେର ପରାଜୟ ପରେ ବିରୋଧୀ ଇଣ୍ଡି ମେଣ୍ଟ ପୂର୍ବାପେକ୍ଷା ଅଧିକ ଦୁର୍ବଳ ମନେ ହେଉଛନ୍ତି। 

ତାମିଲନାଡ଼ୁରେ ବିଜୟଙ୍କ ଟିଭିକେ ସବୁଠୁ ବଡ଼ ଦଳ ଭାବେ ଉଭା ହେବା ପରେ ରାଜନୈତିକ ଦୃଶ୍ୟପଟ୍ଟରେ ବଡ଼ ପରିବର୍ତ୍ତନ ଦେଖାଯାଇଥିଲା। କଂଗ୍ରେସ ପୁରୁଣା ସହଯୋଗୀ ଦଳର ହାତ ଛାଡ଼ି ବିଜୟଙ୍କ ଟିିଭିକେକୁ ତୁରନ୍ତ ସମର୍ଥନ ଜଣାଇଥିଲା। କଂଗ୍ରେସର ଏହି ପଦକ୍ଷେପ ଇଣ୍ଡିମେଣ୍ଟରେ ଫାଟ ସୃଷ୍ଟି କରିଥିଲା। ଡିଏମ୍‌କେ ଏହାକୁ ତୀବ୍ର ବିରୋଧ କରି କଂଗ୍ରେସ ବିଶ୍ବାସଘାତକତା କରିଥିବା କହିଛି।

ଅନ୍ୟପକ୍ଷରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନକୁ ଆଉ ୧୦ ମାସ ରହିଛି। ଏପରି ଦୃଶ୍ୟପଟ୍ଟ ଭିତରେ ଶୁକ୍ରବାର ସନ୍ଧ୍ୟାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ କ୍ଷୁଦ୍ର ଭିଡିଓ ପୋଷ୍ଟ କରି ଯାହା ଦାବି କରିଛନ୍ତି, ତାହା ଅନେକ ପ୍ରଶ୍ନର ଗୋଟିଏ ଜବାବ ପରି ଥିଲା। ରାହୁଲ ପୋଷ୍ଟରେ କହିଥିଲେ ଯେ, ଲେଖିକି ରଖ, ଅନ୍ୟ କୌଣସି ଦଳ ବିଜେପି କିମ୍ବା ନରେନ୍ଦ୍ର ମୋଦୀଙ୍କୁ ହରାଇ ପାରିବ ନାହିଁ। କେବଳ କଂଗ୍ରେସ ହିଁ ହରାଇପାରିବ। ତୁମେମାନେ ଦେଖିବ ସେମାନଙ୍କ (ବିଜେପି ଓ ଆର୍‌ଏସ୍‌ଏସ୍‌) ଆଗରେ ଅନ୍ୟ କୌଣସି ଦଳ ଛିଡ଼ା ହୋଇପାରିବ ନାହିଁ। କେବଳ କଂଗ୍ରେସ ପାର୍ଟି ରହିବ ଓ ସେମାନଙ୍କୁ ହରାଇବ।

ଏଥିରୁ ଏକ ସରଳ ପ୍ରଶ୍ନ ଜନ୍ମ ନେଇଥିଲା। ଏହାର ଅର୍ଥ କ’ଣ କେନ୍ଦ୍ରରେ ବିଜେପିର ମୁଖ୍ୟ ବିରୋଧୀ ଦଳ ଥିବା ଇଣ୍ଡି ମେଣ୍ଟ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଗଲା କି? ରାହୁଲଙ୍କ ଏହି ଭିଡିଓ କେବଳ ଏହାର ଏକମାତ୍ର ସଙ୍କେତ କି? ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରିବା ଲକ୍ଷ୍ୟରେ ୧୨ରୁ ଅଧିକ ଦଳମାନଙ୍କୁ ନେଇ ୨୦୨୩ ରେ ଇଣ୍ଡି ମେଣ୍ଟ ଗଠନ ହୋଇଥିଲା। ଏହା ବିଜେପିକୁ ଗାଦିଚ୍ୟୁତ କରିପାରି ନଥିଲେ ମଧ୍ୟ ଲୋକସଭାରେ ମୋଦୀଙ୍କ ଆସନ ସଂଖ୍ୟା ହ୍ରାସ କରିବାରେ ସଫଳ ହୋଇଥିଲା।

ତେବେ ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାର ମାତ୍ର ୨ ବର୍ଷ ଭିତରେ ଇଣ୍ଡି ମେଣ୍ଟ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ପରେ ଭାଙ୍ଗି ଯାଇଥିବା ପରି ମନେ ହେଉଛି। ସବୁଠୁ ବଡ଼ ଫାଟ କଂଗ୍ରେସ ଓ ଡିଏମକେ ମଧ୍ୟରେ ଦେଖାଯାଇଛି। ପାଖାପାଖି ଦୁଇ ଦଶନ୍ଧି ହେଲା କଂଗ୍ରେସ ଓ ଡିଏମ୍‌କେ ରାଜ୍ୟ ରାଜନୀତିଠାରୁ ଆରମ୍ଭ କରି କେନ୍ଦ୍ରରେ ଏକାଠି ଅଛନ୍ତି। ମେଣ୍ଟର ସବୁଠୁ ଶାଣିତ ସ୍ବର ଭାବେ ଏହି ଦୁଇ ଦଳକୁ ଦେଖିବାକୁ ମିଳିଥିଲା। ଷ୍ଟାଲିନ୍‌ ରାହୁଲଙ୍କୁ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ପ୍ରତି ନିର୍ବାଚନରେ ଡିଏମ୍‌କେ କଂଗ୍ରେସ ଆସନ ସଂଖ୍ୟା ହ୍ରାସ କରିବାକୁ ନେଇ ଜାତୀୟ ଦଳ ତା’ର ପୁରୁଣା ଆଞ୍ଚଳିକ ସହଯୋଗୀ ଦଳ ସହିତ ଅସନ୍ତୁଷ୍ଟ ଥିଲା।

ଟିଭିକେର ବିଜୟ ଦୁଇ ମେଣ୍ଟ ଦଳ ଭିତରେ ଥିବା ବାଧ୍ୟବାଧ୍ୟକତାର ସମ୍ପର୍କକୁ ପୂରାପୂରି ଶେଷ କରିଦେଇଥିଲା। ଡିଏମ୍‌କେ ଟିଭିକେକୁ କଂଗ୍ରେସର ସମର୍ଥନ ଘୋଷଣାକୁ ବିଶ୍ବାସଘାତକ କହିଥିଲା। କଂଗ୍ରେସ ଡିଏମକେ ସହିତ ମେଣ୍ଟ କରି ୨୮ଟି ବିଧାନସଭା ଆସନ ସହିତ ଗୋଟିଏ ରାଜ୍ୟସଭା ଆସନ ପାଇଥିଲା ବୋଲି ଡିଏମ୍‌କେ କହିଥିଲା। ଡିଏମ୍‌କେ ସାଂସଦ କେ କାନିମୋଝି ବାଚସ୍ପତିଙ୍କୁ ଚିଠି ଲେଖି ସଂସଦରେ ଡିଏମ୍‌କେ ପାଇଁ କଂଗ୍ରେସଠାରୁ ଅଲଗା ବସିବା ବ୍ୟବସ୍ଥା କରିବାକୁ କହିଥି‌ଲେ। କଂଗ୍ରେସର ଏହି ପଦକ୍ଷେପକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ପରୋକ୍ଷରେ ସମାଲୋଚନା କରିଥିଲେ। ଅଖିଳେଶ କୋଲକାତାରେ ମମତା ବାନାର୍ଜୀଙ୍କୁ ଭେଟି ଓ ଚେନ୍ନାଇରେ ଏମ୍‌କେ ଷ୍ଟାଲିନ୍‌ଙ୍କୁ ଭେଟି ଏହାର ଫଟୋ‌ ‘ଏକ୍ସ’ରେ ସେୟାର କରିଥିଲେ ଓ ଲେଖିଥିଲେ ଖରାପ ସମୟରେ ଆମେ କାହାକୁ ପରିତ୍ୟାଗ କରିନଥାଉ। କାନିମୋଝି ମଧ୍ୟ ଅଖିଳେଶଙ୍କୁ ଧନ୍ୟବାଦ ଜଣାଇଥିଲେ।

ଅନ୍ୟପକ୍ଷରେ ମମତା ବାନାର୍ଜୀ କିନ୍ତୁ କଂଗ୍ରେସ, ସମାଜବାଦୀ ପାର୍ଟି ଓ ଅନ୍ୟମାନଙ୍କ ସମର୍ଥନ ନେଇ ଇଣ୍ଡି ମେଣ୍ଟ ପ୍ରତି ସହନଶୀଳ ଦେଖାଯାଉଛନ୍ତି। ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ତାଙ୍କୁ ଫୋନ୍‌ କରିଥିଲେ ବୋଲି କହିଥିଲେ। ମୋଦୀଙ୍କ ବିରୋଧରେ ଲଢ଼ିବାକୁ ସେ ଏବେ ମୁକ୍ତ ବୋଲି ମମତା କହିଥିଲେ। ତେବେ ବିଜେପି ପ୍ରବକ୍ତା ଶେହଜାଦ ପୁନାୱାଲା ତାମିଲନାଡ଼ୁର ସ୍ଥିତିକୁ ଦେଖି ଏହା ଡିଏମ୍‌କେ – କଂଗ୍ରେସ ସମ୍ପର୍କର ଶେଷକୃତ୍ୟ ବୋଲି କହିଛନ୍ତି। 

ad-week
Leave A Reply

Your email address will not be published.