ଶ୍ରୀମନ୍ଦିର ଜୋନ ଉପରେ ହେଲିକପ୍ଟର ଉଡାଇଲେ ବିଜେପି ସାଂସଦ, ତଦନ୍ତ ଦାବି

add-all

ଭୁବନେଶ୍ବର: ବିଜେଡି ନେତ୍ରୀ ତଥା ରାଜ୍ୟସଭା ସାଂସଦ ସୁଲତା ଦେଓ ଅଭିଯୋଗ କରିଛନ୍ତି ଯେ ବିଜେପି ସାଂସଦ ସଙ୍ଗୀତା ସିଂହ ଦେଓ ଏବଂ ତାଙ୍କ ଝିଅ ନିବୃତ୍ତିଙ୍କୁ ପୁରୀର ଅତ୍ୟନ୍ତ ସମ୍ବେଦନଶୀଳ ଶ୍ରୀମନ୍ଦିର ଜୋନ ଉପରେ ଏକ ହେହଲିକପ୍ଟର ମାଧ୍ୟବରେ ଉଡିବା ଏବଂ ଆକାଶ ଯାତ୍ରା ସମୟରେ ଫଟୋ ଉଠାଇବା ଦେଖାଯାଇଥିଲା। ଏନେଇ ସୁଲତା ଏକ୍ସରେ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିବା ବେଳେ ଏନେଇ ଏକ ଭିଡିଓ ଜାରି କରିଛନ୍ତି ।

ତାଙ୍କ ପୋଷ୍ଟରେ ସୁଲତା ଦେଓ ଦାବି କରିଛନ୍ତି ଯେ ଘଟଣାରେ ଜଡିତ ହେଲିକପ୍ଟରଟି ଅନ୍ୟ ଜଣେ ସାଂସଦଙ୍କର ବୋଲି ଜଣାପଡିଛି। ସେ ଶ୍ରୀମନ୍ଦିର ଚାରିପାଖରେ ଥିବା ପ୍ରତିବନ୍ଧିତ ଆକାଶ ମାର୍ଗରେ ଜଣେ ସାଂସଦଙ୍କ କାର୍ଯ୍ୟକଳାପ ଉପରେ ଚିନ୍ତା ପ୍ରକାଶ କରିଛନ୍ତି, ଯାହାକୁ କଠୋର ଉଡ଼ାଣ ନିଷେଧ ନିୟମ ସହିତ ଏକ ଅତ୍ୟନ୍ତ ସମ୍ବେଦନଶୀଳ ସୁରକ୍ଷା କ୍ଷେତ୍ର ଭାବରେ ବିବେଚନା କରାଯାଏ।

ଏହି ଘଟଣା ଉପରେ ପ୍ରଶ୍ନ ଉଠାଇ, ବିଜେଡି ସାଂସଦ ପ୍ରଧାନମନ୍ତ୍ରୀ ଏବଂ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA)ଙ୍କୁ ଏହି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଏବଂ ବିମାନ ଚଳାଚଳ କିମ୍ବା ସୁରକ୍ଷା ମାନଦଣ୍ଡର କୌଣସି ଉଲ୍ଲଂଘନ ନିଶ୍ଚିତ ହେଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

ସୁଲତା କହିଛନ୍ତି, ବିଜେପି ସାଂସଦ ସଙ୍ଗୀତା ସିଂହଦେଓ ଏବଂ ତାଙ୍କ ଝିଅ ନିବୃତ୍ତି ପୁରୀ ଜୋନର ସବୁଠାରୁ ସମ୍ବେଦନଶୀଳ ଶ୍ରୀମନ୍ଦିର ଉପରେ ଉଡ଼ୁଥିବା ଏବଂ ଫଟୋ ଉଠାଉଥିବାର ଦୃଶ୍ୟ। ବିଡ଼ମ୍ବନାର ବିଷୟ ହେଉଛି ଯେ ହେଲିକପ୍ଟରଟି ଅନ୍ୟ ଜଣେ ସାଂସଦଙ୍କର। ଯଦି ଏହା ବିରୋଧୀ ଦଳର ସାଂସଦ ହୋଇଥାନ୍ତେ, ତେବେ ବିଜେପିକୁ ସହଜରେ “ଦେଶଦ୍ରୋହୀ” ବୋଲି ଲେବଲ୍ କରି କହିବାକୁ ସୁଯୋଗ ମିଳିଥାନ୍ତା । ମୁଁ ପ୍ରଧାନମନ୍ତ୍ରୀ ଏବଂ ବିମାନ ଚଳାଚଳ ବିଭାଗକୁ ନିରପେକ୍ଷ ତଦନ୍ତ ଏବଂ ଦୋଷୀମାନଙ୍କୁ ଦଣ୍ଡ ଦେବା ପାଇଁ ଅନୁରୋଧ କରୁଛି।

ତେବେ ସୁଲତାଙ୍କ ଏହି ଅଭିଯୋଗ ରାଜନୈତିକ ଆଲୋଚନା ଆରମ୍ଭ କରିଛି, ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କଠାରୁ ସ୍ୱଚ୍ଛତା ଏବଂ ସ୍ପଷ୍ଟୀକରଣ ଦାବି କରାଯାଉଛି। ଏହି ସମୟରେ ସାଂସଦ ସଙ୍ଗୀତା ସିଂ ଦେଓଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ad-week
Leave A Reply

Your email address will not be published.