ଟିଭିକେରେ ଯୋଗ ଦେଲେ ଏଆଇଏଡିଏମ୍‌କେର ୩ ବିଧାୟକ

add-all

ଚେନ୍ନାଇ: ତାମିଲନାଡୁରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଏଆଇଏଡିଏମ୍‌କେକୁ ଗୋଟିଏ ପରେ ଗୋଟିଏ ଧକ୍କା ଲାଗିଛି। ଏଆଇଏଡିଏମ୍‌କେର ସିଭି ଷଣ୍ମୁଗମ୍ ଓ ଏସ୍‌ପି ଭେଲୁମଣି ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଟିଭିକେକୁ ଆସ୍ଥା ଭୋଟରେ ସମର୍ଥନ ଦେବା ପରେ ଏବେ ସେମାନଙ୍କ ଗୋଷ୍ଠୀର ୩ ଜଣ ବିଧାୟକ ଦଳରୁ ଇସ୍ତଫା ଦେଇ ଟିଭିକେରେ ଯୋଗ ଦେଇଛନ୍ତି। ବିଧାୟକ ଏସ୍‌ ଜୟକୁମାର (ପେରୁନ୍ଦୁରାଇ), ମାରଗାଥମ୍‌ କୁମରୋଭେଲ (ମଦୁରନ୍ଥକମ୍-ଏସ୍‌ସି) ଓ ପି ସତ୍ୟଭାମା (ଧାରାପୁରମ୍‌-ଏସ୍‌ସି) ସୋମବାର ବାଚସ୍ପତି ଜେସିଡି ପ୍ରଭାକରଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।

ଷଣ୍ମୁଗମ୍ ଓ ଭେଲୁମଣି ଶିବିରର ୨୫ ଜଣ ବିଧାୟକ ଆସ୍ଥା ଭୋଟରେ ତାମିଲଗା ଭେଟ୍ରି କାଝାଗମ୍ (ଟିଭିକେ) ସରକାରଙ୍କ ସପକ୍ଷରେ ଭୋଟ ଦେଇଥିଲେ। ଅନ୍ୟପକ୍ଷରେ ସୋମବାର ଇସ୍ତଫା ଦେବା ପରେ ତିନି ଏଆଇଏଡିଏମ୍‌କେ ବିଧାୟକ ପିଡବ୍ଲ୍ୟୁଡି ମନ୍ତ୍ରୀ ଅଧବ ଅର୍ଜୁନଙ୍କୁ ତାଙ୍କ ଚାମ୍ବରରେ ଭେଟି ଟିଭିକେରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟଙ୍କ ଇସ୍ତଫା ପରେ ତ୍ରିଚି ପୂର୍ବ ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ହେବାକୁ ଥିବାବେଳେ ଏବେ ଏମାନଙ୍କ ଇସ୍ତଫା ପରେ ଚାରିଟି ନିର୍ବାଚନମଣ୍ଡଳୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ।

ଅନ୍ୟପକ୍ଷରେ ଷଣ୍ମୁଗମ୍-ଭେଲୁମଣି ଶିବିର ସହିତ ରହିଥିବା ପାଞ୍ଚ ଜଣ ଏଆଇଏଡିଏମ୍‌କେ ବିଧାୟକ ଦଳର ମୁଖ୍ୟ ଏଡାପ୍ପାଦି ପଲାନିସ୍ୱାମୀଙ୍କ ପ୍ରତି ପୁଣି ଥରେ ଆନୁଗତ୍ୟ ପ୍ରଦର୍ଶନ କରିଛନ୍ତି। ଏହି ଘଟଣା ପରେ ବିଧାନସଭାରେ ପଲାନିସ୍ୱାମୀଙ୍କୁ ସମର୍ଥନ କରୁଥିବା ବିଧାୟକଙ୍କ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ପଲାନିସ୍ୱାମୀ ଶିବିରକୁ ଫେରିଥିବା ବିଧାୟକଙ୍କ ମଧ୍ୟରେ ଆର୍କଟର ଏସ୍ଏମ୍ ସୁକୁମାର ମଧ୍ୟ ଅଛନ୍ତି। ଅନ୍ୟପକ୍ଷରେ ଷଣ୍ମୁଗମ୍ ଗୋଷ୍ଠୀ ନିକଟରେ ଏବେ ମାତ୍ର ୧୭ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଏଆଇଏଡିଏମ୍‌କେ ଚଳିତ ନିର୍ବାଚନରେ ୪୭ଟି ଆସନରେ ବିଜୟୀ ହୋଇଥିଲା।  

ad-week
Leave A Reply

Your email address will not be published.