କଚ୍ଛ ଉପକୂଳରୁ ୧,୦୦୦ କୋଟି ଟଙ୍କାର କୋକେନ୍ ଜବତ

add-all

କଚ୍ଛ: ଗୁଜୁରାଟ ଆଣ୍ଟି-ଟେରୋରିଜମ୍ ସ୍କ୍ବାଡ୍ (ଏଟିଏସ୍) ଏବଂ ଭାରତୀୟ ତଟରକ୍ଷୀ ବାହିନୀ ମିଳିତ ଭାବେ କଚ୍ଛ ଉପକୂଳରୁ ୧୦୦୦ କୋଟି ଟଙ୍କା ମୂଲ୍ୟର ୧୦୦ କିଲୋଗ୍ରାମ୍‌ରୁ ଅଧିକ  କୋକେନ ଜବତ କରିଥିବା ଜଣାପଡ଼ିଛି। ପାକିସ୍ତାନର ପୋର୍ଟ କାସିମରୁ ଏହି ଅଞ୍ଚଳରେ ପହଞ୍ଚିଥିବା ଏକ ୟୁରୋପୀୟ ଜାହାଜକୁ ସୁରକ୍ଷା ଏଜେନ୍ସିମାନେ ଅଟକାଇବା ଓ ଚଢ଼ଉ କରିବା ପରେ ଏହି ଜବତ କରାଯାଇଥିଲା। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ବୋଲି ସୂତ୍ରରୁ ଜଣାପଡ଼ିଛି।

ଅଧିକ ଅନୁସନ୍ଧାନ ଚାଲିଛି, କର୍ତ୍ତୃପକ୍ଷ ଏହି ମାର୍ଗ, ଲଜିଷ୍ଟିକ୍ ଶୃଙ୍ଖଳା ଓ ହ୍ୟାଣ୍ଡଲରମାନଙ୍କ ସମ୍ପୃକ୍ତି ଅନୁସନ୍ଧାନ କରୁଛନ୍ତି। ପୁଲିସ ଇନ୍ସପେକ୍ଟର ଜେଏମ୍ ପଟେଲ କହିଛନ୍ତି ଯେ, ୟୁରୋପୀୟ ଜାହାଜର କର୍ମଚାରୀମାନେ ବ୍ରାଜିଲରୁ ଆସିଥିବା ପ୍ରାୟ ଛଅଟି ବ୍ୟାଗ୍‌ରେ କୋକେନ୍ ଲୁଚାଇ ରଖିଥିବା ନେଇ ଏଟିଏସ୍ ଗୁଜରାଟ ବିଶ୍ୱସନୀୟ ସୂଚନା ପାଇବା ପରେ ଉକ୍ତ ‘ୟୁରୋପ’ ଜାହାଜ ଉପରେ ଚଢ଼ଉ କରାଯାଇଥିଲା। ଏହି ନିଶା ସମଗ୍ରୀ ଦିଲ୍ଲୀର ବାସିନ୍ଦା ଦୁଇଜଣ ବ୍ୟକ୍ତିଙ୍କୁ ବିତରଣ କରିବାକୁ ଉଦ୍ଦିଷ୍ଟ ଥିଲା। ତଟରକ୍ଷୀ ବାହିନୀର ଡଙ୍ଗାକୁ ଦେଖି ଅଭିଯୁକ୍ତମାନେ ଅନେକ ଭାରୀ ବ୍ୟାଗ୍‌କୁ ସମୁଦ୍ରରେ ଫିଙ୍ଗି ଦେଇଥିଲେ। କିନ୍ତୁ ତଟରକ୍ଷୀ ବାହିନୀ ସହାୟତାରେ ପାଞ୍ଚଟି ଭାସମାନ ବ୍ୟାଗ୍ ଉଦ୍ଧାର କରାଯାଇଛି ବୋଲି ସେ କହିଛନ୍ତି।

ଭାରତର ପଶ୍ଚିମ ସାମୁଦ୍ରିକ ସୀମାରେ ନିକଟ ଅତୀତରେ ଏହି ଅପରେସନକୁ ଏକ ପ୍ରମୁଖ ନିଶାଦ୍ରବ୍ୟ ଜବତ ଘଟଣା ବୋଲି ବର୍ଣ୍ଣନା କରାଯାଉଛି। ଗତ ଏକ ସପ୍ତାହ ମଧ୍ୟରେ ଦେଶରେ ଏହା ହେଉଛି ତୃତୀୟ ବୃହତ୍ କୋକେନ୍ ଜବତ ଘଟଣା। ମେ ୨୩ ତାରିଖରେ ଆଡିସ୍ ଆବାବାରୁ ଆସିଥିବା ଏକ ଦମ୍ପତିଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଅଟକାଯାଇଥିଲା। ପଚରାଉଚରା ସମୟରେ ସେମାନେ ୧.୪୦ କିଲୋଗ୍ରାମ କୋକେନ୍ ଥିବା ୮୪ଟି କ୍ୟାପସୁଲ ଗିଳିଥିବା ସ୍ୱୀକାର କରିଥିଲେ। ମେ ୧୯ରେ ଆଡିସ୍ ଆବାବାରୁ ଆସୁଥିବା ଜଣେ ଆଫ୍ରିକୀୟ ପୁରୁଷ ଓ ଜଣେ ମହିଳା ପୁନର୍ବାର ବିମାନବନ୍ଦରରେ ଧରାପଡିଥିଲେ। ସେମାନଙ୍କଠାରୁ ୪.୨୫ କୋଟି ଟଙ୍କା ମୂଲ୍ୟର ୮୫୦ ଗ୍ରାମ୍ କୋକେନ୍ ଥିବା ମୋଟ ୬୩ଟି କ୍ୟାପସୁଲ୍ ବାହାର କରି ଜବତ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ଏହି ଚାରି ଜଣଙ୍କୁ ଗିରଫ କରାଯାଇଥିଲା।  

ad-week
Leave A Reply

Your email address will not be published.