
ବାଲେଶ୍ୱର: ନୀଳଗିରି ଅନ୍ତର୍ଗତ ଗୋପୀନାଥପୁର ରେଳ ଷ୍ଟେସନ ନିକଟରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ସ୍ଥାନୀୟ ଏକ ସ୍ଲିପର କାରଖାନାରେ କାମ ଚାଲିଥିବା ବେଳେ ଏକ କ୍ରେନ ହଠାତ ଭାରସାମ୍ୟ ହରାଇ ଛିଡା ହୋଇଥିବା ମାଲବାହୀ ଟ୍ରେନ ଉପରେ ଖସି ପଡିଛି। ତେବେ ସୌଭାଗ୍ୟବଶତଃ ଏହି ଘଟଣାରେ ସେଠାରେ ଥିବା ଶ୍ରମିକ ଓ ସ୍ଥାନୀୟ ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁଯାୟୀ କାରଖାନାରେ କଂକ୍ରିଟ ସ୍ଲିପର ବୋଝେଇ କରାଯାଉଥିବା ସମୟରେ କ୍ରେନଟି ତକ୍ତାରୁ ବାହାରି ଯାଇଥିଲା। ଏହା ସିଧାସଳଖ ମାଲବାହୀ ଟ୍ରେନ ଉପରେ କଚାଡି ହୋଇ ପଡିଥିଲା। ଏହାର ପ୍ରଭାବରେ ରେଳ ବିଭାଗର ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଛିଣ୍ଡି ଯାଇ ଟ୍ରେନ ଉପରେ ପଡିଥିଲା। ଫଳରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଭୟର ବାତାବରଣ ସୃଷ୍ଟି ହୋଇଥିଲା।
ଦୁର୍ଘଟଣା ଖବର ପାଇ ରେଳ ବିଭାଗ ପୋଲିସ ଓ ଉଚ୍ଚ ପଦାଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଖଡଗପୁରରୁ ରେଳ ବିଭାଗର ଜରୁରୀକାଳୀନ ଉଦ୍ଧାରକାରୀ ଦଳ ଆସି ଗ୍ୟାସ କଟର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ୫ ଘଣ୍ଟାର କଠିନ ପରିଶ୍ରମ ପରେ ରେଳ ଲାଇନରୁ କ୍ରେନ କଢାଯିବା ସହ ପରିସ୍ଥିତିକୁ ସ୍ୱାଭାବିକ କରାଯାଇପାରିଛି।
ଏହି ଅଘଟଣ କାରଣରୁ ସେହି ରୁଟରେ କିଛି ସମୟ ପାଇଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବାଲେଶ୍ୱରରୁ ନୀଳଗିରି ଅଭିମୁଖେ ଯାତ୍ରା କରିବାକୁ ଥିବା ଦୁଇଟି ମେମୁ ଟ୍ରେନକୁ ବାତିଲ କରାଯାଇଥିବା ସୂଚନା ମିଳିଛି। ତେବେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରହିଛି।
