ସ୍ତ୍ରୀକୁ ମାରି ବସ୍ତାରେ ଭର୍ତ୍ତି କରି ନଦୀ କୂଳରେ ପୋତିଦେଲା ଜହ୍ଲାଦ ସ୍ବାମୀ

add-all

ଚୌଦ୍ବାର ୩୧।୫: ପ୍ରେମ କରି ବିବାହ କରିଥିଲେ କିନ୍ତୁ ପ୍ରେମ ବେଶୀ ଦିନ ତିଷ୍ଠି ରହିଲାନି । ଶେଷରେ ତଣ୍ଟିଚିପି ମାରି ପୋତିଦେଲା ସ୍ୱାମୀ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଟାଙ୍ଗୀ ଥାନା ଭଟିମୁଣ୍ଡା ସାରଗାଁ ଗ୍ରାମରେ ।
ସୂଚନାଯୋଗ୍ୟ ଯେ, ଭଟିମୁଣ୍ଡା ଗ୍ରାମର ମଳୟ ସାମଲ ୨୦୧୯ ମସିହାରେ ଜଗତସିଂହପୁର ବାଲିକୁଦା ଥାନା ଅଞ୍ଚଳ ଗରାମ ଗ୍ରାମରେ ବନିତା ସେଠୀଙ୍କୁ ଭଲ ପାଇ ବିବାହ କରିଥିଲେ । ଦୁହେଁ ବାଲିକୁଦା ଅଞ୍ଚଳରେ ରହୁଥିବା ବେଳେ ଗତ ଦୁଇ ବର୍ଷ ହେବ ସେମାନେ ଗାଁକୁ ଆସିଥିଲେ । ବନିତା ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ମଳୟ ରାଜମିସ୍ତ୍ରୀ କାମ କରନ୍ତି । ମାତ୍ର ପାରିବାରିକ କଳହରୁ ଦୁହିଁଙ୍କ ମଧ୍ୟରେ କଳି ଝଗଡା ଲାଗି ରହିଥିଲା । ଗତ ୩-୪ ଦିନ ହେବ ବନିତା ରହୁଥିବା ଘରକୁ ନ ଫେରିବାରୁ ବନିତାଙ୍କ ସମ୍ପର୍କୀୟ ବନିତାର ବାପଘର ଲୋକଙ୍କୁ ଜଣାଇଥିଲେ । ଏନେଇ ବାପଘର ଲୋକେ ଟାଙ୍ଗୀ ଥାନାରେ ଅଭିଯୋଗ କଲା ପରେ ଟାଙ୍ଗୀ ପୋଲିସ ବନିତାଙ୍କ ସ୍ୱାମୀ ମଳୟକୁ ଧରି ପଚରା ଉଚରା କରିବା ପରେ ସେ ସତ ମାନିଥିଲା ।
ମଳୟ ପୋଲିସ କହିଥିଲା ବନିତାକୁ ମାରି ବସ୍ତାରେ ଭର୍ତ୍ତି କରି ମେଣ୍ଢାଖାଇ ନଦୀ କୂଳରେ ପୋତି ଦେଇଛି । ଯାହାକୁ ନେଇ ପୋଲିସ ତାକୁ ଘଟଣାସ୍ଥଳକୁ ଆଣି ଜାଗା ଚିହ୍ନଟ କରିବା ପରେ ପରିବାର ଲୋକ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମହିଳାଙ୍କ ଶବ ଖୋଳି ଉଦ୍ଧାର କରିବା ସହିତ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ ମେଡିକାଲକୁ ପଠାଇଛି । ପୋଲିସ ହତ୍ୟାରେ ବ୍ୟବହୃତ ଏକ ଫାଉଡା ଓ ମହିଳାଙ୍କ ଓଢ଼ଣୀ ଜବତ କରିବା ସହିତ ଏନେଇ ମଳୟକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ପୋଲିସ ।

ad-week
Leave A Reply

Your email address will not be published.