
ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ଅଧିକାରୀଙ୍କ ନାମରେ ବଳାତ୍କାର ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ଥାନାକୁ ଜମି ବିବାଦ ନେଇ ଆସିଥିବା ଜଣେ ମହିଳା। ଏହି ଏତଲାକୁ ଗ୍ରହଣ କରି ପୁଲିସ ସଂପୃକ୍ତ ଥାନାଧିକାରୀ ସୁଜିତ କୁମାର ଦାସଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ବର ସହ ଗ୍ରହଣ କରିଛି ଓଡ଼ିଶା ପୁଲିସ। ଏପରିକି ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା (ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ) ଦ୍ବାରା ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯିବ। ଏଥିସହ ତଦନ୍ତ ପ୍ରକ୍ରିୟାର ସ୍ୱଚ୍ଛତା ଓ ନିରପେକ୍ଷତାକୁ ଦୃଷ୍ଟିରେ ରଖି ଶ୍ରୀ ଦାସଙ୍କୁ ଶରଣକୁଳ ଥାନାରୁ ଜିଲା ମୁଖ୍ୟାଳୟକୁ ବଦଳି କରାଯାଇଥିବା ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନାନୁଯାୟୀ, କିଛି ଦିନ ତଳେ ଶରଣକୁଳ ଥାନା ଅଞ୍ଚଳର ଜଣେ ମହିଳାଙ୍କ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏନେଇ ମହିଳା ଓ ତାଙ୍କ ପରିବାର ନାମରେ ଶରଣକୁଳ ଥାନାରେ ମାମଲା ହୋଇଥିଲା। ଥାନା ଅଧିକାରୀ ସୁଜିତ କୁମାର ଦାସ ମହିଳାଙ୍କୁ ମାମଲାରେ ସହଯୋଗ କରିବାକୁ କହି ଫୋନ୍ ନମ୍ବର ନେଇଥିଲେ।
ପରେ ଥାନା ଅଧିକାରୀ ଫୋନ୍ରେ ଭିଡିଓ କଲ୍, ଅଶ୍ଳୀଳ ମେସେଜ, ଫଟୋ ଏବଂ ଅଶ୍ଳୀଳ କଥା କହିଥିବା ମହିଳା ଏତଲାରେ ଅଭିଯୋଗ କରିଛନ୍ତି। ଏପରିକି ଥାନା ଅଧିକାରୀ ତାଙ୍କ ଭଡ଼ା ଘରକୁ ନେଇ ବଳାତ୍କାର କରିଥିବା ମହିଳା ଅଭିଯୋଗ କରିଛନ୍ତି। ଏନେଇ ସମ୍ପୃକ୍ତ ମହିଳା ନୟାଗଡ଼ ଏସ୍ପିଙ୍କ ଦ୍ୱାରସ୍ଥ ହେବା ସହ ଅତିରିକ୍ତ ଏସ୍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ହେବା ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୟାଗଡ଼ ଏସ୍ପି ଶୁଭେନ୍ଦୁ ପାତ୍ର କହିଛନ୍ତି। ତେବେ ଏନେଇ ଆଇଆଇସି ଶ୍ରୀ ଦାସ କହିଛନ୍ତି ଯେ, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା, କପୋଳକଳ୍ପିତ ଓ ଉଦ୍ଦେଶ୍ୟ ପ୍ରଣୋଦିତ। ଶ୍ରୀ ଦାସଙ୍କ କହିବାନୁଯାୟୀ, ସଂପୃକ୍ତ ମହିଳା ସେତେବେଳେ ଗ୍ରାମବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରୁଥିଲେ। ମାତ୍ର ସେ ତାହାକୁ ଗ୍ରହଣ ନକରିବାରୁ ଏଭଳି ମିଥ୍ୟ ଅଭିଯୋଗ ତାଙ୍କୁ ବଦ୍ନାମ କରିବାକୁ ଆଣିଛନ୍ତି ବୋଲି ଥାନାଧିକାରୀ ଶ୍ରୀ ଦାସ କହିଛନ୍ତି। ତେବେ ଯେଉଁ ମାମଲା ତାଙ୍କ ବିରୋଧରେ ରୁଜୁ ହୋଇଛି, ତାହାର ତଦନ୍ତରେ ସେ ସଂପୂର୍ଣ୍ଣ ସହଯୋଗ କରିବେ ଏବଂ ସତ ପଦାକୁ ଆସିବ ବୋଲି ଶ୍ରୀ ଦାସ ପ୍ରତିକ୍ରିୟା ରଖିଛନ୍ତି।
