ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ସାଧକ ଡ.ଦାମୋଦର ହୋତାଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ

add-all

ଭୁବନେଶ୍ବର: ବିଶିଷ୍ଟ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଗୁରୁ ଡ.ଦାମୋଦର ହୋତାଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୬ବର୍ଷ ହୋଇଥିଲା। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ବର ଡାକ୍ତରଖାନାକୁ ନିଆଯାଉଥିଲା। ଡାକ୍ତରଖାନା ନିଆଯାଉଥିବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ପରିବାର ସଦସ୍ୟ ସୂଚନା ଦେଇଛନ୍ତି।
ପଣ୍ଡିତ ଦାମୋଦର ହୋତା ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ତଥା ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଭାବେ ଖ୍ୟାତି ଅର୍ଜନ କରିଥିଲେ। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ତଥା ବରିଷ୍ଠ ହିନ୍ଦୁସ୍ତାନୀ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ବନାରଶ ହିନ୍ଦୁ ବିଶ୍ବବିଦ୍ୟାଳୟର କଲେଜ ଅଫ୍ ମ୍ୟୁଜିକ ଆଣ୍ଡ ଫାଇନ ଆର୍ଟରୁ ଅଧ୍ୟୟନ କରିଥିବା ଡ.ଦାମୋଦର ହୋତା ସଙ୍ଗୀତରେ ଡକ୍ଟରେଟ୍‌ ଡିଗ୍ରୀ ହାସଲ କରିଥିଲେ। ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।

ପଣ୍ଡିତ ଦାମୋଦର ହୋତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତୀ ଟ୍ବିଟ କରି ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ବିଶିଷ୍ଟ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଗୁରୁ ତଥା ପଣ୍ଡିତ ଦାମୋଦର ହୋତାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଉଡ୍ରପଦ୍ଧତ୍ତୀୟ ସଙ୍ଗୀତର ଗବେଷଣା ଓ ପ୍ରଚାର ପ୍ରସାର କ୍ଷେତ୍ରରେ ନିଜ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଉଛି।

ad-week
Leave A Reply

Your email address will not be published.