
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯାହା ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଦେଇଛି । ବୋଲଗଡ଼ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥର ଦିଘିରି ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏକାସଙ୍ଗେ ଦୁଇ ଭାଇଙ୍କ ଜୀବନ ଚାଲିଯାଇଛି । ମୃତକମାନେ ହେଲେ ଦିଘିରି ଗାଁର ଆକାଶ ପ୍ରଧାନ ଓ ବିକାଶ ପ୍ରଧାନ ।
ସୂଚନା ଅନୁସାରେ, ଦୁଇ ଭାଇ ଏକ ବାଇକ୍ରେ ଘରକୁ ଫେରୁଥିବା ସମୟରେ ଦିଘିରି ନିକଟରେ ସେମାନଙ୍କ ବାଇକ୍ଟି ରାସ୍ତା କଡ଼ରେ ଥିବା ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ ଉଭୟ ଭାଇ ଗୁରୁତର ଭାବେ ଆହତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିବା ଜଣାପଡ଼ିଛି ।
ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକେ ଓ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ମୃତଦେହ ଦୁଇଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଅକାଳ ବିୟୋଗରେ ପ୍ରଧାନ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ଏକାସଙ୍ଗେ ଦୁଇ ପୁଅଙ୍କୁ ହରାଇବା ଦୁଃଖରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
