
ଭୁବନେଶ୍ୱର: ପୂରା ରାଜ୍ୟକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଜୁନ ୧୨ରେ ରାଜ୍ୟକୁ ମୌସୁମୀର ଅଗ୍ରସର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରାଜ୍ୟର ସମସ୍ତ ଜିଲ୍ଲାକୁ ମୌସୁମୀ ବାୟୁ ପ୍ରବେଶ କରିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହା ପ୍ରଭାବରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ ଟ୍ରପ ଲାଇନ ସକ୍ରିୟ ରହିଛି। ତେଣୁ ୨୭ ତାରିଖ ପର୍ଯ୍ୟନ୍ତ କଲବଲ କରିବ ପ୍ରବଳ ବର୍ଷା। ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ପାଣିପାଗ ବିଭାଗ। ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଆହୁରି ୫ ଦିନ ଯାଏ ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । କୋରାପୁଟ, ରାୟଗଡ଼ା, କନ୍ଧମାଳ, ବରଗଡ଼ ,ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତିରେ ପ୍ରବଳ ବର୍ଷା ହୋଇପାରେ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଅନ୍ୟପଟେ ଆସନ୍ତା ୨୫ ବେଳକୁ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଦକ୍ଷିଣ ଓଡିଶାରେ ୨୫ ରୁ ୨୭ ପର୍ଯ୍ୟନ୍ତ ବର୍ଷା ହେବ। ଏହା ପରେ ୨୯ ତାରିଖ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାକି ଲଘୁଚାପର ରୂପ ନେବ ବୋଲି କହିଛନ୍ତି ସୋଆ ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ । ଜୁଲାଇ ପ୍ରଥମ ସପ୍ତାହ ୨ ରୁ ୪ ତାରିଖ ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ରହିବ । ଜୁଲାଇ ପ୍ରଥମ ସପ୍ତାହରେ ଭଲ ବର୍ଷା ହେବ ବୋଲି ସେ ସୂଚନା ଦେଇଛନ୍ତି । ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ ରହୁଥିବାରୁ କାଳବୈଶାଖୀର ମଧ୍ୟ ପ୍ରଭାବ ରହିଛି। ୨୫ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
