
ମାଲକାନଗିରି: ବନ ବିଭାଗକୁ ବଡ଼ ସଫଳତା। ବେଆଇନ କଇଁଛ ଚାଲାଣ ଉପରେ ଚଢ଼ାଉ କରି ମାଲକାନଗିରି ବନ ବିଭାଗ ୩୨୪ଟି କଇଁଛ ଜବତ କରିଛି। ଏହାସହ ୩ ଜଣଙ୍କୁ ଗିରଫ କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବନ ବିଭାଗର ଟିମ୍ ଏକ ବୋଲେରୋ ଗାଡ଼ିକୁ ମାଲକାନଗିରି ଜିଲ୍ଲା ପଦ୍ମଗିରି ଛକ ନିକଟରେ ଅଟକାଇ ତଲାସି କରିଥିଲା। ତଲାସି ବେଳେ ଗାଡ଼ି ଭିତରୁ ମୋଟ ୩୨୪ଟି କଇଁଛ ଜବତ କରାଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ଆନ୍ଧ୍ରପ୍ରଦେଶରୁ ଏକ ବୋଲେରୋ ଗାଡ଼ିରେ କଇଁଛ ଭର୍ତ୍ତି କରାଯାଇ ମାଲକାନଗିରି ଜିଲ୍ଲାକୁ ଆସୁଥିବା ବେଳେ ବିଶେଷ ସୂତ୍ରରୁ ସୂଚନା ପାଇ ବନକର୍ମଚାରୀମାନେ ପଦ୍ମଗିରି ଛକ ନିକଟରେ ଜଗି ରହିଥିଲେ। ଗାଡ଼ିକୁ ଯାଞ୍ଚ କରିବା ସମୟରେ ବହୁ ପରିମାଣରେ କଇଁଛ ରହିଥିବା ଦେଖିବାକୁ ମିଳିଥିଲା। ପରେ ଗାଡି ଏବଂ କଇଁଛକୁ ଜବତ କରାଯାଇ ମାଲକାନଗିରି ବନ୍ୟାଞ୍ଚଳକୁ ନିଆଯାଇଥିଲା। କଇଁଛ ଗୁଡ଼ିକୁ ଗଣତି କରାଯିବା ବେଳେ ୩୦୩ ଟି ଜୀବିତ କଇଁଛ ଏବଂ ୨୬ ଗୋଟି ମୃତ୍ୟୁ କଇଁଛ ପ୍ରାପ୍ତ ହୋଇଥିଲା।
ମୋଟ ୩୨୯ ଗୋଟି କଇଁଛ ମିଳିଥିବା ବେଳେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟ ପୋଲାଭରମ ଜିଲ୍ଲା ଅନ୍ତର୍ଗତ ଦେବରପାଲ୍ଲୀ ଗ୍ରାମର ସିଦଲା ରାଜ ରେଡି, ପୋଲାଭରମ ଜିଲ୍ଲା ଅନ୍ତର୍ଗତ ଦେବରପାଲ୍ଲୀ ଗ୍ରାମର ଏନ୍.ଅମର ନାଥ ଏବଂ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏମପିଭି-୬୫ ଗ୍ରାମର ରବିନ ମିର୍ଦ୍ଧା ବୋଲି ଜଣାପଡିଛି। ବର୍ତ୍ତମାନ ଅଭିଯୁକ୍ତମାନଙ୍କୁ ପଚରା ଉଚୁରା ଚାଲିଛି। ପରବର୍ତ୍ତୀ ସମୟରେ କୋର୍ଟ ଚାଲାଣ କରାଯିବ ବୋଲି ମାଲକାନଗିରି ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତ ପ୍ରକାଶ କରିଛନ୍ତି।
