
ପୁରୀ : ଆଉ ଦୁଇ ଦିନ ପରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନପୂର୍ଣ୍ଣମୀ । ବିଶ୍ଵପ୍ରସିଦ୍ଧ ରଥଯାତ୍ରାର ଆଦ୍ୟ ପର୍ବ ସ୍ନାନ ଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ସ୍ନାନଯାତ୍ରାରେ ଚତୁର୍ଦ୍ଧା ବିଗ୍ରହ ରତ୍ନସିଂହାସନ ଛାଡ଼ି ସ୍ନାନ ମଣ୍ଡପକୁ ଧାଡ଼ି ପହଣ୍ଡିରେ ଆସିବେ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ। ଏହା ପରେ ଦୁର୍ଲଭ ହାତୀ ବେଶରେ ଦର୍ଶନ ଦେବେ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ,ସୁରୁଖୁରୁରେ ନୀତି ସମ୍ପାଦନ , ଜଳ ଲାଗି ଓ ହାତୀ ବେଶକୁ ଅକ୍ଷୁଣ୍ଣ ରଖିବା ପାଇଁ ଗୁରୁତ୍ଵ ଦିଆଯାଉଛି । ସୁରକ୍ଷା ବ୍ୟବସ୍ଥା ଓ ଭିଡ଼ ପାଇଁ ୭୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।
ଶ୍ରୀମନ୍ଦିର ଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ଼ କରାଯାଇଛି । ସ୍ନାନଯାତ୍ରା ପହଣ୍ଡି ପାଇଁ ଦକ୍ଷିଣ ଦ୍ଵାର ଦେଇ ପରିମାଣିକ ଟିକେଟ ଦର୍ଶନଧାରୀ ପ୍ରବେଶ କରିବେ । ଶ୍ରଦ୍ଧାଳୁ ବ୍ୟାରିକେଡ଼ ଦେଇ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିବେ ଓ ସ୍ନାନ ମଣ୍ଡପରେ ଦର୍ଶନ ପରେ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ। ୨୦୦ ସିସିଟିଭି କ୍ୟାମେରା ନଜରରେ ରହିବ ପୂରା ସହର । ଶ୍ରୀମନ୍ଦିର ଭିତରେ ଓ ବାହାରେ ,ବଡ଼ଦାଣ୍ଡରେ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି ।ସେହିପରି ରୁଫ୍ ଟଫ ସିକ୍ୟୁରିଟି ,ସାଦା ପୋଷାକଧାରୀ ପୋଲିସ ମୁତୟନ ହେବେ ।
