ରାଜ୍ୟରେ ଖୋଲିଲା ସ୍କୁଲ ଓ କଲେଜ, ବିଦ୍ୟାଳୟ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ

add-all

ଭୁବନେଶ୍ବର: ଆଜିଠାରୁ ରାଜ୍ୟର ସବୁ ସରକାରୀ ଓ ଘରୋଇ ସ୍କୁଲ ଓ କଲେଜ ଖୋଲିଛି। ଆଜିଠାରୁ ୮ମ ଶ୍ରେଣୀରୁ ଉପରକୁ ସମସ୍ତ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫ୍‌ଲାଇନ୍‌ ପାଠପଢ଼ା ଆରମ୍ଭ ହୋଇଛି। ସମଗ୍ର ରାଜ୍ୟରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଖୋଲିଥିବା ବେଳେ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ବିଭାଗୀୟ ମନ୍ତ୍ରୀ। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ନିଗମାନନ୍ଦ ସରକାରୀ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ବିଦ୍ୟାଳୟରେ କୋଭିଡ ନିୟମ ପାଳନ ହେଉଛି କି ନାହିଁ ତାର ତଦାରଖ କରିବାସହ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ପାଇଁ ପିଲାମାନଙ୍କ ସହିତ ଆଲୋଚନାରେ କହିଛନ୍ତି ମନ୍ତ୍ରୀ।

ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ଅଫ୍‌ଲାଇନ୍‌ ପାଠପଢ଼ା ହେଲେ ସେମାନେ ଭଲ ଭାବେ ପାଠ ବୁଝିପାରିବେ ବୋଲି ଛାତ୍ରଛାତ୍ରୀମାନେ ମତ ଦେଇଛନ୍ତି। କୋଭିଡ କଟକଣା ଭିତରେ ଶିକ୍ଷାଦାନ ଆରମ୍ଭ ହୋଇଛି। ଗତକାଲି ଶିକ୍ଷାନୁଷ୍ଠାନଗୁଡ଼ିକରେ ଥିବା ସମସ୍ତ ହଷ୍ଟେଲଗୁଡ଼ିକ ଖୋଲାଯାଇଥିଲା। କ୍ୟାମ୍ପସକୁ ବିଶୋଧନ କରାଯିବା ସହ କ୍ଲାସରୁମ୍‌ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିଭଳି ସାମାଜିକ ଦୂରତା ରହିବ ସେନେଇ ବ୍ୟବସ୍ଥା ହୋଇଥିଲା। ସିଟ୍‌ଗୁଡ଼ିକ ମଧ୍ୟରେ ଯଥା ସମ୍ଭବ ଦୂରତା ରକ୍ଷା କରାଯାଇଛି।

ସୂଚନାଯୋଗ୍ୟ ଯେ ରାଜ୍ୟରେ କରୋନାର ୩ୟ ଲହର ପ୍ରଭାବ ପଡ଼ିବାରୁ ଜାନୁଆରି ପ୍ରଥମ ସପ୍ତାହରେ ସ୍କୁଲ-କଲେଜଗୁଡ଼ିକୁ ବନ୍ଦ କରାଯାଇଥିଲା। ଅଫ୍‌ଲାଇନ୍‌ ପାଠପଢ଼ା ବନ୍ଦ ସହ ଅନ୍‌ଲାଇନ୍‌ କ୍ଲାସ ଚାଲିଥିଲା। ମାତ୍ର ଏବେ କରୋନା ସଂକ୍ରମଣ କମିଛି। ଏହି ଲହରରେ ମେଡିକାଲରେ ଲୋକେ କମ୍‌ ସଂଖ୍ୟାରେ ଭର୍ତ୍ତି ହେଉଛନ୍ତି। ସ୍ଥିତି ନିୟନ୍ତ୍ରଣକୁ ଆସିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ କମ୍‌ ରହୁଛି। ଏଥିସହ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ କରୋନା ଟିକା ଦିଆଯାଉଛି। ତେଣୁ ଛାତ୍ରଛାତ୍ରୀଙ୍କ ବୃହତ୍ତର ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ସରକାର ସ୍କୁଲ-କଲେଜ ଖୋଲିବାକୁ ଗତ ସପ୍ତାହରେ ନିଷ୍ପତ୍ତି ନେଇଥିଲେ।

ad-week
Leave A Reply

Your email address will not be published.